ପୁରୀ: ଏଥର ପୁରୀକୁ ଯଦି ଆପଣଙ୍କ ପରିବାରର କେହି ହବିଷ୍ୟାଳି ଯିବା ପାଇଁ ଚାହୁଁଛନ୍ତି ତେବେ ସରକାରୀ ଓ୍ବେବସାଇଟରେ ଆବେଦନ କରିବାକୁ ପଡ଼ିବ । ସମସ୍ତ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ଏଥର ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିଥିବା ହବିଷ୍ୟାଳୀଙ୍କୁ ସମସ୍ତ ପ୍ରକାର ସୁବିଧା ପାଇବେ। ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ରହଣି ବ୍ୟବସ୍ଥା କରାଯିବ। ଆସନ୍ତା ୬ ତାରିଖରୁ ଠାରୁ ଆବେଦନ ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ସେ କହିଛନ୍ତି, କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୬ରୁ ୧୧ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିପାଇଁ http://edistrict.odisha.gov.in ରେ ଆବେଦନ କରିପାରିବେ।