14 ତାରିଖ ଭିତରେ ଦାଖଲେ କରିବେ ପାଣ୍ଡୁଲିପି
ଚଳିତବର୍ଷ ବିଭିନ୍ନ ପର୍ବପର୍ବାଣିକୁ ନେଇ ତିଥି, ନକ୍ଷତ୍ରରେ ଅନେକ ତ୍ରୁଟି ଦେଖାଦେବା ପରେ ୨୦୨୫-୨୬ ବର୍ଷରେ ପ୍ରକାଶ ପାଇବାକୁ ଥିବା ପାଞ୍ଜିରେ ସମାନତା ଆଣିବାକୁ ରାଜ୍ୟର ସମସ୍ତ ପାଞ୍ଜିକାରମାନଙ୍କୁ ପୁଣିଥରେ(ରିମାଇଣ୍ଡର) ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ସମସ୍ତ ପାଞ୍ଜିକାରମାନଙ୍କୁ ନଭେମ୍ବର ୧୪ ତାରିଖ ଭିତରେ ସେମାନଙ୍କ ପାଣ୍ଡୁଲିପି ମୁକ୍ତିମଣ୍ଡପ ପଣ୍ଡିତସଭା ଓ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପଠାଇବାକୁ କୁହାଯାଇଛି। ବ୍ୟକ୍ତିଗତ ୱାଟ୍ସଅପ ନମ୍ବର ଓ ପୋଷ୍ଟାଲ ଜରିଆରେ ଏହି ଚିଠି ପଠାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ସମସ୍ତ ପାଞ୍ଜିକାରଙ୍କ କାର୍ଯ୍ୟାଳୟକୁ ବି ଯୋଗାଯୋଗ କରି ପାଣ୍ଡୁଲିପି ଦାଖଲ କରିବାକୁ କୁହାଯାଇଛି।
ରାଧାରମଣ ପଞ୍ଜିକା, କୋହେନୂର ପ୍ରେସ ପଞ୍ଜିକା, ଭାଗ୍ୟଜ୍ୟୋତି ପ୍ରେସ୍ ପଞ୍ଜିକା, ଅରୁଣୋଦୟ ପ୍ରେସ୍ ଖଡ଼ିରତ୍ନ ପଞ୍ଜିକା, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା, ଦୈବ୍ୟଜ୍ଞ ସିଦ୍ଧାନ୍ତ ପଞ୍ଜିକା ଓ ଭାଗ୍ୟଦୀପ ପ୍ରେସ୍ ପଞ୍ଜିକା, ଏଭଳି ୮ଟି ପଞ୍ଜିକାର ଗଣକ, ପ୍ରକାଶକ ଓ ସଭ୍ୟମାନଙ୍କୁ ଏହି ଚିଠି କରାଯାଇଛି। ପାଣ୍ଡୁଲିପି ହସ୍ତଗତ ହେବା ପରେ ପାଞ୍ଜି ସମନ୍ବୟ ବୈଠକ କରାଯିବ ବୋଲି ଜଣାପଡ଼ିଛି। ଏ ଭିତରେ କେବଳ ରାଧାରମଣ ଓ କୋହେନୂର ପଞ୍ଜିକା ସେମାନଙ୍କୁ ପାଣ୍ଡୁଲିପି ଦାଖଲ କରିଛନ୍ତି। ରାଧାରମଣ ପଞ୍ଜିକା ୧୨ ମାସର ପାଣ୍ଡୁଲିପି ଦାଖଲ କରିଥିବାବେଳେ କୋହେନୂର କେବଳ ୬ ମାସର ପାଣ୍ଡୁଲିପି ଦାଖଲ କରିଛି। ଏଣୁ କୋହେନୂର ପଞ୍ଜିକାକୁ ବାକି ୬ ମାସର ପାଣ୍ଡୁଲିପି ଦାଖଲ କରିବାକୁ କୁହାଯାଇଛି। ସେହିପରି ଅନ୍ୟମାନଙ୍କୁ ୧୨ ମାସର ପାଣ୍ଡୁଲିପି ଦାଖଲ କରିବାକୁ କୁହାଯାଇଛି।