ନବରାତ୍ରିର ଦ୍ବିତୀୟ ଦିନ, ବ୍ରହ୍ମଚାରିଣୀ ବେଶରେ ପୂଜା ପାଇବେ ମା ଦୁର୍ଗା

ଆଜି ମା’ଙ୍କ ଷୋଡ଼ଶ ଉପଚାର ପୂଜାର ଦଶମ ଦିନ ଏବଂ ନବରାତ୍ରିର ଦ୍ବିତୀୟ ଦିନ । ଆଜି କଟକରେ ମା’ ଗଡ଼ଚଣ୍ଡୀ ଭକ୍ତମାନଙ୍କୁ ବଗଳାମୁଖୀ ବେଶରେ ଦର୍ଶନ ଦେଉଛନ୍ତି । ଏଥିପାଇଁ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଶାନ୍ତି ଶୃଙ୍ଖଳାରେ ମା’ଙ୍କ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ନବରାତ୍ରି ପାଇଁ ଖୋର୍ଦ୍ଧାର ମା’ ଉଗ୍ରତାରା ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ଏଠାରେ ୧୧ ଦିନ ବ୍ୟାପି ସପ୍ତସତୀ ଚଣ୍ଡି ମହାଯଜ୍ଞ ହୋଇଥାଏ । ପୂଜାବିଧି ଓ ରୀତିନୀତି ଅନୁସାରେ ପ୍ରତିଦିନ ଚାଲିଛି ମା’ଙ୍କ ପୂଜା । ସକାଳୁ ଚୂଡ଼ା ଘଷା, ମଧ୍ୟାହ୍ନରେ ଅନ୍ନ ଖେଚୁଡ଼ି, ଡାଲି, ଆମିଷ ଭୋଗ ମଧ୍ୟ ହୋଇଥାଏ । ସେହିପରି ଭୋଗରେ ମା’ଙ୍କର ପ୍ରିୟଭୋଗ ହେଉଛି ମାଛ ପୋଡ଼ା । ରାଜ୍ୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ଏହି ତନ୍ତ୍ରପୀଠ ବେଶ ମନୋଲୋଭା । ବିଶେଷକରି ରଜ ଓ ଶାରଦୀୟ ଦୁର୍ଗାପୂଜାରେ ହଜାର ହଜାର ଭକ୍ତ ଓ ମାନସିକଧାରୀମାନେ ମା’ଙ୍କ ପୀଠକୁ ଛୁଟି ଆସିଥା’ନ୍ତି । ନବରାତ୍ରି ପୂଜା ଅବସରରେ ମା’ଙ୍କ ପୀଠ ବେଶ୍ ଚଳଚଞ୍ଚଳ ହୋଇଉଠିଛି ।  ଭକ୍ତଙ୍କ କହିବା ଅନୁସାରେ ମା’ଙ୍କ ପାଖକୁ ଯିଏ ଆସେ କେହି ଖାଲି ହାତରେ ଫେରେନାହିଁ । ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥାଏ । ମନ୍ତ୍ରପାଠ ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । ଯଥା ରୀତିନୀତି ଅନୁଯାଇ ମା’ଙ୍କ ପୂଜା ଚାଲିଛି । ସେପଟେ ପରମ୍ପରା ଅନୁସାରେ ବିଜୟା ଦଶମୀ ମଧ୍ୟରାତିରେ ଘଟ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଓ ଦର୍ଶନକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a comment