ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ

ନିଜ ଭଣଜା ନିରବ ମୋଦୀଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ୧୪ ହଜାର କୋଟି ଟଙ୍କା ଠକେଇ କରି ଭାରତ ଛାଡ଼ି ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ଭାରତରେ ଥିବା ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ। ୨୦୧୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ସମ୍ପତ୍ତିଗୁଡ଼ିକୁ ଜବତ କରିଥିଲା। ସେଗୁଡ଼ିକୁ ନିଲାମ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜବତ ହୋଇଥିବା ସମ୍ପତ୍ତିଗୁଡ଼ିକର ଶୀଘ୍ର ସମାଧାନ କରିବା ଲାଗି ଇଡି ସହ ମିଶି ପିଏନ୍‌ବି ଓ ଆଇସିଆଇସିଆଇ ବ୍ୟାଙ୍କ ‌କୋର୍ଟରେ ଆବେଦନ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ୧୨୫ କୋଟି ଟଙ୍କାର ସମ୍ପତ୍ତିକୁ ନିଲାମ ଲାଗି ଉପଲବ୍ଧ କରାଯାଇଛି। ମୁମ୍ବାଇର ସାଣ୍ଟାକ୍ରୁଜ୍‌ର ଖେନି ଟାୱାର୍‌ରେ ଥିବା ୨୭ କୋଟି ଟଙ୍କାର ଫ୍ଲାଟ୍‌, ଅନ୍ଧେରି ଇଷ୍ଟ୍‌ରେ ଥିବା ୯୮.୦୩ କୋଟି ଟଙ୍କାର ଦୁଇଟି ସମ୍ପତ୍ତି ନିଲାମ କରାଯିବ। ଅନ୍ୟ ସମ୍ପତ୍ତିଗୁଡ଼ିକ ନିଲାମ ପାଇଁ ଆଗାମୀ ଦିନରେ ଉପଲବ୍ଧ କରାଯିବ। ପିଏନବି ଠକେଇର ପର୍ଦାଫାସ ହେବାର କିଛି ଦିନ ପୂର୍ବରୁ ୨୦୧୮ ଜାନୁଆରିରେ ଚୋକ୍‌ସି ଲୁଚି ଲୁଚି ଭାରତରୁ ପଳାଇଥିଲେ। ଏବେ ସେ ଆଣ୍ଟିଗୁଆ ଓ ବରବୁଦାରେ ରହୁଛନ୍ତି। ପିଏନ୍‌ବିରେ ନିରବ ମୋଦୀ କରିଥିବା ଠକେଇରେ ତାଙ୍କର ବଡ଼ ଭୂମିକା ଥିଲା। ଏହି ଠକେଇ ପ୍ରଭାବରେ ସରକାରୀ ବ୍ୟାଙ୍କଗୁଡ଼ିକ ୬୦୯୭ କୋଟି ଟଙ୍କାର କ୍ଷତି ସହିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କରୁ ମଧ୍ୟ ଚୋକ୍‌ସି ଠକେଇ କରିଥିବା ଅଭିଯୋଗ ରହିଛି।

ଚୋକ୍‌ସିଙ୍କୁ ଭାରତ ଫେରାଇ ଆଣିଲା ଲାଗି ଉଦ୍ୟମ ହେଉଛି। ଭାରତ ଆସିଲେ ତାଙ୍କ ବିରୋଧରେ ମନି ଲଣ୍ଡରିଂ ଓ ଆର୍ଥିକ ଠକେଇ ମାମଲା ଚାଲିବ। ୨୦୧୮ରେ ପିଏନ୍‌ବି ଠକେଇ ମାମଲ‌ାରେ ଚୋକ୍‌ସିଙ୍କ ସମ୍ପୃକ୍ତିର ଇଡି ତଦନ୍ତ ଆରମ୍ଭ ହୋଇଥିଲା। ଦେଶର ୧୩୬ରୁ ଅଧିକ ସ୍ଥାନର ଚଢ଼ଉ କରି ମୂଲ୍ୟବାନ ସମ୍ପତ୍ତି ଓ ଦସ୍ତାବିଜ ଜବତ କରାଯାଇଥିଲା।