ଅଗଷ୍ଟ ୧ରୁ ପାଲଟା ଶୁଳ୍କ ଲାଗୁ କରିବେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଅଗଷ୍ଟ ୧ରୁ ପାଲଟା ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦେଶ ଉପରେ ସେ ୧୦-୭୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଇବେ। କେଉଁ ଦେଶ ଉପରେ କେତେ ଟିକସ ଲାଗିବ, ତାହା ସେହି ଦେଶଗୁଡ଼ିକୁ ଅବଗତ କରାଯିବ। ଶୁକ୍ରବାରଠାରୁ ସେହି ପ୍ରକ୍ରିୟା ଆରମ୍ଭ ହେବ। ୧୦-୧୨ଟି ଦେଶ ପାଖରେ ସେହି ପତ୍ର ପହଞ୍ଚିବ। ଅଗଷ୍ଟ ୧ରୁ ସେମାନଙ୍କୁ ଶୁଳ୍କ ଗଣିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି।

ଚଳିତ ମାସ ୯ ସୁଦ୍ଧା ଯେଉଁ ଦେଶଗୁଡ଼ିକ ଆମେରିକା ସହ ବାଣିଜ୍ୟ ରାଜିନାମା କରିବାରେ ବିଫଳ ହେବେ ସେମାନଙ୍କ ଉପରେ ପାଲଟା ଟିକସ ଲାଗିବ। ଭାରତ ଏପର୍ଯ୍ୟନ୍ତ ରାଜିନାମା କରିନାହିଁ। ଉଭୟ ପକ୍ଷ ମଧ୍ୟରେ ମୁଲଚାଲ ଜାରି ରହିଛି। ଏପ‌ଟେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ରୋକ୍‌ଠୋକ୍ ଶୁଣାଇଛନ୍ତି ଯେ ଚାପ ଆଗରେ ଭାରତ ମୁଣ୍ଡ ନୁଆଁଇବ ନାହିଁ। ନିଜ ସ୍ବାର୍ଥ ସହ ଭାରତ ସାଲିସ କରିବ ନାହିଁ ବୋଲି ସେ କହିଛନ୍ତି। ରାଜିନାମା ଚୂଡ଼ାନ୍ତ କରିବା ଲାଗି ଆମେରିକା ଗସ୍ତ କରିଥିବା ଭାରତୀୟ ଦଳ ନିର୍ଧାରିତ ଦିନଠାରୁ ଅଧିକ ଦିନ ସେଠାରେ ରହିଥିଲା।

ମାତ୍ର କିଛି ‌ଠୋସ୍‌ ନିଷ୍ପତ୍ତି ହୋଇନପାରିବାରୁ ସେମାନେ ଭାରତ ଫେରିଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍ ଓ ଭିଏତ୍‌ନାମ ପକ୍ଷରୁ ଆମେରିକ ସହ ରାଜିନାମା କରାଯାଇଛି। ଚୀନ୍ ସହ ମଧ୍ୟ ଏହାର ବୁଝାମଣା ହୋଇଛି। ଗତ ମଙ୍ଗଳବାର ଦିନ ଟ୍ରମ୍ପ କହିଥିଲେ ଯେ ଭାରତ ସହ ଖୁବଶୀଘ୍ର ରାଜିନାମା ହେବାକୁ ଯାଉଛି। ଉଭୟ ଦେଶ ଶୁଳ୍କ କମ୍ କରିବେ। ନିଜ ବଜାରକୁ ଅଧିକ ଖୋଲା କରିବା ଲାଗି ଭାରତ ଉପରେ ଆମେରିକା ଚାପ ପକାଉଛି। ଭାରତରେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଥିବା କୃଷିଜାତ ସାମଗ୍ରୀ ଯଥା ସୋୟାବିନ, ଗହମ, ମକା, ସେଓ, ଇଥାନଲ୍‌ ଓ ଦୁଗ୍ଧଜାତ ଉତ୍ପାଦକୁ ଭାରତରେ ବିକ୍ରି କରିବାକୁ ଆମେରିକା ଜିଦ୍ ଧରିଛି। ‌‌ତେ‌ବେ ଦେଶର ଚାଷୀମାନଙ୍କ ସ୍ବାର୍ଥ ରକ୍ଷା କରିବା ଲାଗି ଭାରତ ସେଥିରେ ରାଜି ହେଉନାହିଁ।

Leave a comment