ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କଲେ ଟେସଲା
ଲୋକପ୍ରିୟ ବୈଦ୍ୟୁତିକ କାର୍ ନିର୍ମାତା କମ୍ପାନୀ ଟେସ୍ଲା ଭାରତରେ ଆନୁଷ୍ଠାନିକ ଭାବେ ପ୍ରବେଶ କରିଛି। ମଙ୍ଗଳବାର ମୁମ୍ବଇର ବିକେସିରେ ଟେସ୍ଲାର ପ୍ରଥମ ଶୋ’ରୁମ୍ର ଶୁଭାରମ୍ଭ ହୋଇଛି। ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ମେକର ମ୍ୟାକ୍ସିଟି ମଲ୍ରେ ଟେସ୍ଲା ଶୋ’ରୁମ୍ ଖୋଲିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଟେସଲା ଶୋ’ରୁମ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦେଶରେ ଟେସ୍ଲାକୁ ସ୍ଵାଗତ କରି କହିଛନ୍ତି, ‘‘ଟେସ୍ଲା, ଭାରତକୁ ସ୍ଵାଗତ’’।ଚଳିତ ବର୍ଷ ଆରମ୍ଭରେ ଟେସ୍ଲା ଭାରତରେ କର୍ମଚାରୀ ନିଯୁକ୍ତି ଆରମ୍ଭ କରିଥିଲା, ଯାହାପରେ ଟେସ୍ଲା ଭାରତୀୟ ବଜାରରେ ପ୍ରବେଶ କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଟେସ୍ଲା ସିଇଓ ଏଲନ ମସ୍କ ମଧ୍ୟ ପୂର୍ବରୁ ଭାରତରେ ନିବେଶ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ସେ ଭାରତରେ ଉଚ୍ଚ ଆମଦାନୀ ଟିକସକୁ ସବୁଠାରୁ ବଡ଼ ସମସ୍ୟା ବୋଲି କହିଥିଲେ। ତେବେ ଭାରତ ସରକାର ନିକଟରେ ନୂଆ ଇଭି ନୀତି ଘୋଷଣା କରିଛନ୍ତି, ଯାହାଦ୍ଵାର ବିଶ୍ୱସ୍ତରୀୟ ଇଭି କାର୍ ନିର୍ମାତାମାନଙ୍କୁ ଅନେକ ସୁବିଧା ମିଳିବାସହ କମ୍ ଆମଦାନୀ ଟିକସ ଦେବାକୁ ପଡ଼ିବ। ତେଣୁ ଆଗାମୀ ସମୟରେ ଟେସ୍ଲା ଭାରତରେ ଇଭି ନିର୍ମାଣ କ୍ଷେତ୍ରରେ ମଧ୍ୟ ପ୍ରବେଶ କରିପାରେ ବୋଲି ଆଶା କରାଯାଉଛି।