ଆଜି ଭାରତୀୟ ଷ୍ଟକ୍ ବଜାର ସେନ୍ସେକ୍ସ ୬୦୭ ପଏଣ୍ଟ ହ୍ରାସ ପାଇ ୭୬,୮୦୨ ପଏଣ୍ଟରେ ବନ୍ଦ
ସୂଚନା ପ୍ରଯୁକ୍ତି କମ୍ପାନି ଆକ୍ସେଞ୍ଚରର ଏକ ଆକଳନ ଆଜି ଭାରତୀୟ ଷ୍ଟକ୍ ବଜାରକାରବାରକୁ ଦୋହଲାଇ ଦେଇଥିଲା। ଆଇଟି କ୍ଷେତ୍ରରେ ଚାହିଦା କମ୍ ଥିବା ଦର୍ଶାଇ ରାଜସ୍ବ ହ୍ରାସ ପାଇବ ବୋଲି ଏହା କହିବା ପରେ ଦେଶର ଦୁଇ ଷ୍ଟକ୍ ବଜାରର ନିବେଶକମାନେ ଆଇଟି କମ୍ପାନିଗୁଡ଼ିକର ସେୟାର ବିକ୍ରି ଆରମ୍ଭ କରିଥିଲେ। ସେମାନେ ଏତେ ସେୟାର ବିକିଥିଲେ ଯେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟିରେ ବଡ଼ ଧରଣର ହ୍ରାସ ଘଟିଥିଲା। ତେବେ କାରବାର ଶେଷ ବେଳକୁ କିଛିଟା ସୁଧାର ଘଟିବାରୁ ଗତକାଲିର ବନ୍ଦ ତୁଳନାରେ ସେନ୍ସେକ୍ସ ୬୦୭ ପଏଣ୍ଟ ହ୍ରାସ ପାଇ ୭୬,୮୦୨ ପଏଣ୍ଟରେ ବନ୍ଦ ହୋଇଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୫୪ ପଏଣ୍ଟ ହ୍ରାସ ପାଇ ୨୪,୦୧୩ ପଏଣ୍ଟରେ ବନ୍ଦ ହୋଇଥିଲା।
ଆଜି ଇନ୍ଫୋସିସ୍ ସେୟାର ମୂଲ୍ୟରେ ୬ ପ୍ରତିଶତ, ଟିସିଏସ୍ରେ ୩ ପ୍ରତିଶତ, ଏଚ୍ସିଏଲ୍ ଟେକ୍ର ୨.୫ ପ୍ରତିଶତ ଓ ଟେକ୍ ମହିନ୍ଦ୍ରାର ସେୟାର ମୂଲ୍ୟ ୨ ପ୍ରତିଶତ ହ୍ରାସ ପାଇଥିଲା। ବ୍ରୋକରେଜ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍ସ ମଧ୍ୟ ସ୍ବୀକାର କରିଛି ଯେ ଭାରତୀୟ ଆଇଟି କ୍ଷେତ୍ରରେ ଚାହିଦା କମ୍ ରହିବ। ତେଣୁ ଆଗାମୀ ଦିନରେ ଆଇଟି କମ୍ପାନିଗୁଡ଼ିକର ସେୟାର ଚାପରେ ରହିବା ଆଶଙ୍କା କରାଯାଉଛି। ସେୟାର ବଜାରରେ ଆଜି ହୋଇଥିବା ବ୍ୟାପକ ବିକ୍ରିର ଅନ୍ୟତମ କାରଣ ହେଉଛନ୍ତି ବିଦେଶୀ ନିବେଶକ। ସେମାନେ ଭାରତୀୟ ବଜାରରୁ ଇକ୍ବିଟି ବିକ୍ରି ଧାରା ଜାରି ରଖିଛନ୍ତି। ଗତକାଲି ସେମାନେ ୧୦୨୫ କୋଟି ଟଙ୍କାର ଭାରତୀୟ ସେୟାର ବିକ୍ରି କରିଥିଲେ। ଅନ୍ୟ ପକ୍ଷରେ କିଛି ନିବେଶକ ଲାଭ ପାଇବା ଆଶାରେ ଉଚ୍ଚା ଦାମରେ ଥିବା ସେୟାରଗୁଡ଼ିକୁ ବିକ୍ରି କରିବା ମଧ୍ୟ ସେନ୍ସେକ୍ସ ଓ ନିଫ୍ଟିରେ ଘଟିଥିବା ହ୍ରାସର ଅନ୍ୟତମ କାରଣ କୁହାଯାଉଛି।