ଆଜି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୦୭୪ ପଏଣ୍ଟ୍‌ ବୃଦ୍ଧି ପାଇ ୭୬୪୮୯ ପଏଣ୍ଟ୍‌ରେ ବନ୍ଦ

ଇରାନ ଯୁଦ୍ଧ ଶୀଘ୍ର ଶେଷ ହେବାକୁ ଯାଉଥିବା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟ ବଳରେ ଭାରତୀୟ ଷ୍ଟକ୍‌ ବଜାରରେ ଆଜି ଉତ୍ସାହଜନକ କାରବାର ହୋଇଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୦୭୪ ପଏଣ୍ଟ୍‌ ବୃଦ୍ଧି ପାଇ ୭୬୪୮୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୧୨ ପଏଣ୍ଟ୍‌ ବୃଦ୍ଧି ପାଇ ୨୪,୦୩୨ ପଏଣ୍ଟ୍‌ରେ ବନ୍ଦ ହୋଇଛି।ନିବେଶକମାନେ ଆଜି ରିଅଲ ଇଷ୍ଟେଟ୍‌ ସେୟାର ଅଧିକ ମାତ୍ରାରେ କିଣିଥିଲେ ଓ ଏଫ୍‌ଏମ୍‌ସିଜି ସେୟାରକୁ ଅଧିକ ବିକ୍ରି କରିଥିଲେ। ବଜାରରେ ଆଜି ଆଇସର ମୋଟର୍ସ, ଆଦାନୀ ଏଣ୍ଟରପ୍ରାଇଜେସ୍ ଓ ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ବଢ଼ିଥିଲା। ସେହି ସମୟରେ ମ୍ୟାକ୍ସ ହେଲ୍‌ଥକେୟାର, ଓଏନ୍‌ଜିସି ଓ ହିଣ୍ଡାଲ୍‌କୋର ସେୟାର ମୂଲ୍ୟ କମିଥିଲା। ଆଜି ଅଶୋଧିତ ତୈଳ ଦରରେ ମଧ୍ୟ ସୁଧାର ଘଟିଛି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ୍‌ ପିଛା ଦର ୫.୬୫ ପ୍ରତିଶତ ହ୍ରାସ ପାଇ ୯୭.୬୯ ଡଲାରକୁ ହ୍ରାସ ପାଇଛି।ୟୁଏସ୍‌ ଟେକ୍ସାସ୍‌ ଇଣ୍ଟରମେଡିଏଟ୍‌ କ୍ରୁଡ୍‌ ଦର ବ୍ୟାରେଲ ପିଛା ୫.୭୬ ପ୍ରତିଶତ ହ୍ରାସ ପାଇ ୯୧.୦୪ ଡଲାର ହୋଇଛି। ଯୁଦ୍ଧକୁ ନେଇ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ଦେଖାଦେଇଥିବାରୁ ବଜାରରେ ଏଭଳି ସୁଧାର ହୋଇଛି। ମୁଦ୍ରା ବିନିମୟ ବଜାରରେ ମଧ୍ୟ ଆଜି ବ୍ୟାପକ ସୁଧାର ଘଟିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ସବଳ ହୋଇଛି। ଡଲାର ମୂଲ୍ୟ ୯୫ ଟଙ୍କା ୨୩ ପଇସାକୁ ଖସିଛି। କିଛି ଦିନ ତଳେ ଡଲାର ଦାମ ୯୭ ଟଙ୍କା ଆଡ଼କୁ ଗତି କରୁଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ଲଗାତାର ହସ୍ତକ୍ଷେପ କରିବା ପରେ ଟଙ୍କା ସ୍ଥିତିରେ ସୁଧାର ଘଟିଛି। ଅଶୋଧିତ ତେଲ ଦର ଯେତେ କମିବ, ଟଙ୍କା ସେତେ ସବଳ ହେବା ଆଶା କରାଯାଉଛି।

Leave a comment