ଭାରତକୁ ଆସିବ ପ୍ରଥମ ସବ୍ଷ୍ଟ୍ରେଟ୍ ମାନୁଫାକ୍ଚରିଂ ପ୍ରଯୁକ୍ତି। ତାହା ପୁଣି ଓଡ଼ିଶାକୁ। ଚିପ୍ ଉତ୍ପାଦନ ଓ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଏହା ଏକ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ଖବର। ଆଜି ଏନେଇ ଓଡ଼ିଶା ସରକାର, ଇଣ୍ଟେଲ୍ କର୍ପୋରେସନ ଓ ଆମେରିକାର ୩ଡି ଗ୍ଲାସ୍ ସଲ୍ୟୁସନ୍ସ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହା ହେଉଛି ଭାରତର ସର୍ବବୃହତ୍ ହାଇ-ଟେକ୍ ମାନୁଫାକ୍ଚରିଂ ନିବେଶ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହି ନିବେଶ ହାସଲ କରିଥିବାରୁ ସେ ଓଡ଼ିଶାକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଓଡ଼ିଶାକୁ ବିଶ୍ବର ଉଦୀୟମାନ ସେମିକଣ୍ଡକ୍ଟର ମାନୁଫାକ୍ଚରିଂ ମାନଚିତ୍ରରେ ସ୍ଥାନ ଦେବ।
ସୂଚନା ଅନୁସାରେ ଭୁବନେଶ୍ବର-ଖୋର୍ଦ୍ଧା ଅଞ୍ଚଳରେ ଏକ ଅତ୍ୟାଧୁନିକ ପ୍ୟାକେଜିଂ ଗ୍ଲାସ୍ କୋର୍ ସବ୍ଷ୍ଟ୍ରେଟ୍ ଉତ୍ପାଦନ କାରଖାନା ବସାଇବା ପାଇଁ ଏହି ବୁଝାମଣା ହୋଇଛି। ଏହି ପ୍ରକଳ୍ପରେ ପ୍ରାୟ ୩.୩ ବିଲିୟନ ଡଲାର (୩୧,୩୦୩ କୋଟି ଟଙ୍କା) ନିବେଶ ହେବ। ବିଭିନ୍ନ ପର୍ଯ୍ୟାୟରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା ୪-୫ ବର୍ଷ ମଧ୍ୟରେ ତାହା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପର ୧୮୦୦ରୁ ଅଧିକ କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ଅତ୍ୟାଧୁନିକ ପ୍ୟାକେଜିଂ ଗ୍ଲାସ୍ କୋର୍ ସବ୍ଷ୍ଟ୍ରେଟ୍ ଓ ଉଚ୍ଚ ଘନତାର ଇଣ୍ଟରକନେକ୍ଟ ସବ୍ଷ୍ଟ୍ରେଟ୍ ଉତ୍ପାଦନ କରାଯିବ। ସେଥିପାଇଁ ଇଣ୍ଟେଲ୍ ଜ୍ଞାନକୌଶଳ ଯୋଗାଇଦେବ। ଇଣ୍ଡିଆ ସେମିକଣ୍ଡକ୍ଟର ମିସନ ଅଧୀନରେ ଆସିଥିବା ଏହି ପ୍ରକଳ୍ପ ଭାରତକୁ ରପ୍ତାନି ପାଇଁ ମଧ୍ୟ ସକ୍ଷମ କରିବ।
ବୁଝାମଣା ସ୍ବାକ୍ଷର କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଇଣ୍ଟେଲ୍ର ସିଇଓ ଲିପ-ବୁ ଟାନ ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ, ୩ଡି ଗ୍ଲାସ୍ ସଲ୍ୟୁସନ୍ସର ସିଇଓ ବାବୁ ମନଦବା ଓ ଇଣ୍ଟେଲ୍ ଫାଉଣ୍ଡ୍ରିର କାର୍ଯ୍ୟନିର୍ବାହୀ ଉପସଭାପତି ନାଗା ଚନ୍ଦ୍ରଶେଖରନ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍ରେ ଇନ୍ଫୋଭ୍ୟାଲିରେ ଭାରତର ପ୍ରଥମ ଅତ୍ୟାଧୁନିକ ୩ଡି ଚିପ୍ ପ୍ୟାକେଜିଂ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିରେ ବାର୍ଷିକ ୭୦,୦୦୦ ଗ୍ୟାସ୍ ପ୍ୟାନେଲ୍ ଉତ୍ପାଦନ କରାଯିବ ଏବଂ ୫୦ ନିୟୁତ ଆସେମ୍ବଲଡ୍ ୟୁନିଟ୍ ଓ ୧୩,୦୦୦ ଅତ୍ୟାଧୁନିକ ୩ଡି ହେଟେରୋଜିନିଅସନ୍ ଇଣ୍ଟିଗ୍ରେସନ୍ ମଡ୍ୟୁଲ୍ ବିକାଶ କରାଯିବ।