ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି,୨୦ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି

ରାଜ୍ୟରେ ପିଆଜ ଦର ଆକାଶଛୁଆଁ ହେବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ କିଲୋପ୍ରତି ପିଆଜ ଦର ପ୍ରାୟ ୨୦ ଟଙ୍କା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି। ସେହିପରି ଗୋଟିଏ ମାସ ମଧ୍ୟରେ କୁଇଣ୍ଟାଲ ପ୍ରତି ପିଆଜର ହୋଲସେଲ୍ ଦର ୨୨ଶହ ଟଙ୍କାରୁ ବୃଦ୍ଧି ପାଇ ୪ହଜାର ଟଙ୍କା ଛୁଇଁଲାଣି।

ଓଡ଼ିଶା ମୁଖ୍ୟତଃ ମହାରାଷ୍ଟ୍ରର ନାସିକ ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁ ପିଆଜ ଉପରେ ନିର୍ଭରଶୀଳ। ବନ୍ୟା ଯୋଗୁ ପିଆଜ ଆସିପାରୁନି। ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇ ଦର ବୃଦ୍ଧି ପାଇଛି। ଓଡ଼ିଶାରେ ବାର୍ଷିକ ପ୍ରାୟ ୬ ଲକ୍ଷ ଟନ୍ ପିଆଜ ଚାହିଦା ଥିବା ବେଳେ ରାଜ୍ୟରେ ଉତ୍ପାଦନ ଅତି ନଗଣ୍ୟ। ରାଜଧାନୀ ଭୁବନେଶ୍ୱରକୁ ଦୈନିକ ୨୦୦ ଟନ୍ ପିଆଜ ଆବଶ୍ୟକ ହୋଇଥାଏ। ରାଜ୍ୟ ବାହାରୁ ଆବଶ୍ୟକ ପରିମାଣର ଗାଡ଼ି ନ ଆସିବାରୁ ଅଭାବୀ ସ୍ଥିତି ସୃଷ୍ଟି ହୋଇଛି।ରାଜଧାନୀର ହୋଲସେଲ୍ ବଜାରରେ ପିଆଜ କିଲୋ ୪୦ ଟଙ୍କା ଥିବା ବେଳେ ଖୁଚୁରା ବଜାରରେ ବ୍ୟବସାୟୀମାନେ ୬୦ ଟଙ୍କାରେ ବିକ୍ରି କରୁଛନ୍ତି। ଭୁବନେଶ୍ବର କୁବେରପୁରୀ ଆଇଗିଣିଆ ଡିପୋରେ ଯୋଗାଣ ବିଭାଗ ପକ୍ଷରୁ କଳାବଜାରୀ ରୋକିବା ପାଇଁ ଚଢ଼ାଉ ଜାରି ରହିଛି। ବ୍ୟବସାୟୀ ସଂଘର ସୂଚନା ଅନୁଯାୟୀ, ଆଗାମୀ ନଭେମ୍ବର-ଡିସେମ୍ବର ମାସରେ ନାସିକରୁ ନୂଆ ପିଆଜ ଅମଳ ନ ହେବା ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଆଉ ୩ ରୁ ୪ ମାସ ଲାଗି ରହିପାରେ।

Leave a comment