ଚାରି ଦିନର ଛାନିଆ ବିକ୍ରି ପରେ ରାଜ୍ୟରେ ତେଲ  ବିକ୍ରି ହ୍ରାସ

ଚାରି ଦିନର ଛାନିଆ ବିକ୍ରି ପରେ ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ବର ଓ କଟକରେ ତେଲ  ବିକ୍ରି ହ୍ରାସ ପାଇଛି। ସ୍ବାଭାବିକ ଦିନ ତୁଳନାରେ ଆଜି ପେଟ୍ରୋଲ ଓ ଡିଜେଲ ବିକ୍ରି ୬୦ ପ୍ରତିଶତ କମ୍‌ ହୋଇଛି। ଯେହେତୁ ଗତ ଚାରି ଦିନରେ ଲୋକମାନେ ବିପୁଳ ପରିମାଣରେ ତେଲ ଗାଡ଼ିରେ ପକାଇଛନ୍ତି, ସେଥିପାଇଁ ଆଜି ଆଉ ଗ୍ରାହକମାନେ ପେଟ୍ରୋଲ ପମ୍ପକୁ ଆସିନାହାନ୍ତି। ଫଳରେ ଦୁଇ ସହରର ବହୁ ସ୍ଥାନରେ ପେଟ୍ରୋଲ ପମ୍ପଗୁଡ଼ିକ ପ୍ରାୟ ଖାଁ ଖାଁ ଥିଲା। କାଁ ଭାଁ ଗ୍ରାହକ ତେଲ ପକାଉଥିବା ଦେଖିବାକୁ ମିଳିଥିଲା। ସାଧାରଣ ଦିନଗୁଡ଼ିକରେ ଭୁବନେଶ୍ବରରେ ୩୪୦ କିଲୋଲିଟର ପେଟ୍ରୋଲ ଓ ୨୩୦ କିଲୋଲିଟର ଡିଜେଲ ବିକ୍ରି ହୋଇଥାଏ।

ତେବେ, ସାରା ଓଡ଼ିଶାରେ ତେଲକୁ ନେଇ ସ୍ବାଭାବିକ ସ୍ଥିତି ଫେରିନାହିଁ। ବିଶେଷ‌ କରି ପଞ୍ଚମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତେଲକୁ ନେଇ ସମସ୍ୟା ରହିଛି। ଆଜିବି ରାଜ୍ୟରେ ପ୍ରାୟ ୧୦୦ ପାଖାପାଖି ପେଟ୍ରୋଲ ପମ୍ପରେ ସ୍ବାଭାବିକ କାରବାର ହୋଇପାରିନାହିଁ। ତେଲ ସଙ୍କଟ ଦୂର କରିବାକୁ ତିନି ତୈଳ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ରବିବାର ଛୁଟିଦିନ ଥିବା ସତ୍ତ୍ବେ ତେଲ ଯୋଗାଣ ଜାରି ରଖିଥିଲେ। କିନ୍ତୁ, ସର୍ବଭାରତୀୟ ସ୍ତରରେ ହିନ୍ଦୁସ୍ତାନ ପେଟ୍ରୋଲିୟମର ସର୍ଭର ଡାଉନ୍‌ ଥିବାରୁ ସେମାନଙ୍କ ଯୋଗାଣ ରାଜ୍ୟରେ ପ୍ରଭାବିତ ହୋଇଥିଲା।

ତୈଳ କମ୍ପାନିଗୁଡ଼ିକର ଡିପୋରୁ ଟ୍ୟାଙ୍କର ଜରିଆରେ ଟାଙ୍କି ପର୍ଯ୍ୟନ୍ତ ତେଲ ପହଞ୍ଚିଥାଏ। ଓଡ଼ିଶାରେ ଥିବା ୨୮୦୦ ‌ପେଟ୍ରୋଲ ପମ୍ପର ଆବଶ୍ୟକତା ପୂରଣ କରିବା ଲାଗି ୧୫୦୦ ଟ୍ୟାଙ୍କର ରହିଛି। ‌ସ୍ବାଭାବିକ ଦିନଗୁଡ଼ିକର ଆବଶ୍ୟକତା ପୂରଣ କରିବାକୁ ସେତିକି ଟ୍ୟାଙ୍କର ଯଥେଷ୍ଟ। କିନ୍ତୁ ଗତ କିଛି ଦିନରେ ହଠାତ୍‌ ବିକ୍ରି ବଢ଼ିଯିବାରୁ ଟ୍ୟାଙ୍କର ଅଭାବ ଦେଖାଦେଇଥିଲା। ପ୍ରତିଦିନ ତୈଳ ଡିପୋରେ ପ୍ରାୟ ୭୦୦ ଟ୍ୟାଙ୍କରରେ ତେଲ ଭର୍ତ୍ତି ହୋଇଥାଏ। ସେଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନକୁ ତେଲ ନେଇ ଯାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଅଧିକ ଚାହିଦା ଥିବା ପେଟ୍ରୋଲ ପମ୍ପକୁ ବିପୁଳ ତେଲ ଯୋଗାଇ ଦିଆଯାଇଛି। ତାହା ବିକ୍ରି କରିବା ଲାଗି ସେମାନଙ୍କୁ କିଛି ଦିନ ସମୟ ଲାଗିବ।

ଆଜିର ସ୍ଥିତି ସମ୍ପର୍କରେ ଇଣ୍ଡିଆନ ଅଏଲର ସିଜିଏମ୍‌ କମଲ ସିଲଙ୍କ ସୂଚନା ଅନୁସାରେ ରାଜ୍ୟରେ ତୈଳ ଯୋଗାଣ ପ୍ରାୟ ସ୍ବାଭାବିକ ହୋଇଯାଇଛି। ଟାଙ୍କିଗୁଡ଼ିକୁ ଟ୍ୟାଙ୍କର ଜରିଆରେ ତେଲ ଯୋଗାଣ ବୃଦ୍ଧି କରାଯାଇଛି। ଅଧିକାଂଶ ଟାଙ୍କିରେ କାରବାର ସ୍ବାଭାବିକ ଥିବା ସେ କହିଛନ୍ତି। ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି ଯେ ସାରା ରାଜ୍ୟରେ ତେଲ ଯୋଗାଣ ଜାରି ରହିଛି। ଆସନ୍ତାକାଲି ସନ୍ଧ୍ୟା ସବୁ ସବୁଆଡ଼େ ତେଲ ଯୋଗାଣ ସ୍ବାଭାବିକ ହୋଇଯିବା ଆଶା କରାଯାଉଥିବା ସେ କହିଛନ୍ତି।

Leave a comment