୨୦୩୬ ସୁଦ୍ଧା ୨୦ ଟ୍ରିଲିୟନ ଡଲାର ରେ ପହଞ୍ଚିବ ଭାରତର ଅର୍ଥନୀତି
୨୦୩୬ ସୁଦ୍ଧା ଭାରତ ୨୦ ଟ୍ରିଲିୟନ ଡଲାର ଅର୍ଥନୀତି ପାଲଟିବାର ସମ୍ଭାବନା ରହିଛି। ଆବଶ୍ୟକ ଆର୍ଥିକ ସୁଧାର ଓ ଦ୍ରୁତ ଅଭିବୃଦ୍ଧି ଧାରାକୁ ଜାରି ରଖିପାରିଲେ ଏଭଳି ମହତ୍ବାକାଂକ୍ଷୀ ଲକ୍ଷ୍ୟ ପୂରଣ ହୋଇପାରିବ। ଦେଶର ଟଙ୍କା ଆଧାରିତ ଆର୍ଥକ ବୃଦ୍ଧି ୧୪.୨% ଏବଂ ପ୍ରତିବର୍ଷ ଟଙ୍କା ମୂଲ୍ୟରେ ୩ରୁ ୩.୬% ସୁଧାର ଲୋଡ଼ା ରହିଥିବା ବ୍ରୋକରେଜ ଫାର୍ମ ଇକ୍ସିରସ ଏକ ଗବେଷଣା ରିପୋର୍ଟ ପ୍ରକାଶ କରିଛି।
ରିପୋର୍ଟ ଅନୁସାରେ,ଭାରତର ପରବର୍ତ୍ତୀ ପର୍ଯ୍ୟାୟ ଆର୍ଥକ ଅଭିବୃଦ୍ଧିରେ ସେବା କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ଦେଶର ଜିଡିପିରେ ସେବା କ୍ଷେତ୍ରର ଯୋଗଦାନ ୫୪% ରହିଛି। ଆଗାମୀ ଗୋଟିଏ ଦଶନ୍ଧିରେ ଏହା ୬୫%ରୁ ଅଧିକ ରହିବା ସମ୍ଭାବନା ରହିଛି। ସେବା କ୍ଷେତ୍ରର ଆକାର ଟ୍ରିଲିୟନ ଡଲାରରୁ ବୃଦ୍ଧି ହୋଇ ୧୧ ଟ୍ରିଲିୟନ ହେବା ନେଇ ଅନୁମାନ କରାଯାଇଛି। ବିଶେଷ କରି ଗ୍ଲୋବାଲ କାପାବିଲିଟି ସେଣ୍ଟର (ଜିସିସି) ଏବଂପର୍ଯ୍ୟଟନ କ୍ଷେତ୍ରକୁ ଭାରତର ଅଭିବୃଦ୍ଧିର ୨ଟି ବଡ ସୁଯୋଗ ଭାବେ ବିବେଚିତ କରାଯାଇଛି। ଭାରତରେ ବିଶ୍ୱର ପ୍ରାୟ ଅଧା ଜିସିସି ରହିଛି। ଏକ ଜାତୀୟ ଜିସିସି ନୀତି ମାଧ୍ୟମରେ ଏହି ସଂଖ୍ୟାକୁ ୫ ହଜାରକୁ ବଢ଼ାଇବାର ସୁଯୋଗ ମଧ୍ୟ ରହିଛି। ଏହା ସହ କୃଷି ଓ ଉଦ୍ୟାନ କୃଷିର ସୁଯୋଗକୁ ବ୍ୟାପକ କରିବାକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶରେ ଅଧିକ ଶୀତଳ ଭଣ୍ଡାର ସ୍ଥାପନ,ରାଜ୍ୟ ଗୁଡିକର ପୁଞ୍ଜି ବ୍ୟୟ ବୃଦ୍ଧି କରିବା,ରେଲୱେର ପୁଞ୍ଜି ବଜାର ସୁଚୀଭୁକ୍ତ ଜରିଆରେ ଅଧିକ ପୁଞ୍ଜି ଆକୃଷ୍ଟ କରିବା,ସରକାରୀ ସମ୍ପତ୍ତିର ଉନ୍ନତ ବ୍ୟବହାର ଆର୍ଥିକ ଅଭିବୃଦ୍ଧିକୁ ଗତି ପ୍ରଦାନ କରିବ।ତେବେ ୨୦ ଟ୍ରିଲିୟନ ଡଲାର ଅର୍ଥନୀତି କେବଳ ଉଚ୍ଚ ଅଭିବୃଦ୍ଧି ଉପରେ ନିର୍ଭର କରିବ ନାହିଁ। ଡଲାର ତୁଳନାରେ ଟଙ୍କାର ସ୍ଥିରତା ମଧ୍ୟ ବେଶ ଗୁରୁତ୍ୱ ବହନ କରେ। ଟଙ୍କାର ଦ୍ରୁତ ବୃଦ୍ଧି ଓ ମୁଦ୍ରାର ମଜବୁତ ସ୍ଥିତି ଜରିଆରେ ଭାରତ ଏହି ବଡ ଅର୍ଥନୈତିକ ଲକ୍ଷ୍ୟ ହାସଲ ଦିଗରେ ଆଗେଇ ପାରିବ । ରିପୋର୍ଟ ଅନୁସାରେ,ଏହି ସଂସ୍କାର ପଦକ୍ଷେପ ପାଇଁ ବହୁତ ଅଧିକ ସରକାରୀ ନିବେଶର ଆବଶ୍ୟକତା ନାହିଁ । ନୀତି ଓ ପ୍ରଶାସନିକ ସୁଧାର ମାଧ୍ୟମରେ ଅର୍ଥନୀତିରେ ଅଟକି ରହିଥିବା ପୁଞ୍ଜିକୁ ମୁକ୍ତ କରି ନିବେଶ ଓ ଉତ୍ପାଦନ ବଢ଼ାଇବା ସମ୍ଭବ। ଏହାକୁ ଦେଖିଲେ,୨୦୩୬ ସୁଦ୍ଧା ୨୦ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ମହତ୍ବାକାଂକ୍ଷୀ ହେଲେ ମଧ୍ୟ ଉପଯୁକ୍ତ ନୀତି,ଦ୍ରୁତ ସୁଧାର ଓ ସେବା କ୍ଷେତ୍ରର ବିସ୍ତାର ମାଧ୍ୟମରେ ଏହା ହାସଲ କରିବାର ସମ୍ଭାବନା ରହିଛି ।