ଜୁଲାଇ ପହିଲାରୁ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ବଡ଼ ହ୍ରାସ

ଜୁଲାଇ ପହିଲାରୁ କମର୍ସିଆଲ୍ ଏଲପିଜି ଗ୍ୟାସ ସିଲିଣ୍ଡର ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିବ। ତୈଳ କମ୍ପାନୀଗୁଡ଼ିକ ହାରାହାରି ୧୮୦ ଟଙ୍କା ପର୍ଯ୍ୟନ୍ତ ଦର କମାଇଛନ୍ତି। ଦିଲ୍ଲୀରେ ଏବେ କମର୍ସିଆଲ୍ ସିଲିଣ୍ଡର ମୂଲ୍ୟ ୨,୯୩୦ ଟଙ୍କା ହୋଇଥିବା ବେଳେ ପୂର୍ବରୁ ଏହା ୩,୧୧୩ ଟଙ୍କା ୫୦ ପଇସା ଥିଲା। କମର୍ସିଆଲ୍ ସିଲିଣ୍ଡର ଶସ୍ତା ହେବା ଫଳରେ ରେଷ୍ଟୁରାଣ୍ଟ, ହୋଟେଲ ଏବଂ କ୍ୟାଟରିଂ ବ୍ୟବସାୟୀଙ୍କ ଖର୍ଚ୍ଚ କମିବ। ଏହାର ପ୍ରଭାବରେ ଚା, ଜଳଖିଆ, ଥାଳି ଏବଂ ବିବାହ କ୍ୟାଟରିଂ ମଧ୍ୟ ଶସ୍ତା ହୋଇପାରେ।

ସେହିପରି ପେଟ୍ରୋଲ ଡିଜେଲ ଦର ହ୍ରାସ କରିଛି ନାୟରା ଏନର୍ଜୀ କମ୍ପାନୀ। ବେସରକାରୀ ଇନ୍ଧନ ବିକ୍ରେତା କମ୍ପାନୀ ନାୟରା ଏନର୍ଜି ପେଟ୍ରୋଲ ପ୍ରତି ଲିଟରରେ ୫ ଟଙ୍କା ଏବଂ ଡିଜେଲ ପ୍ରତି ଲିଟରରେ ୩ ଟଙ୍କା କମାଯାଇଛି। ଭୁବନେଶ୍ୱରରେ ନାୟରା ଷ୍ଟେସନରେ ପେଟ୍ରୋଲ ଲିଟର ପ୍ରତି ୧୦୯ ଟଙ୍କା ୩୨ ପଇସା ଓ ଡିଜେଲ ଲିଟର ପ୍ରତି ପାଖାପାଖି ୯୯ ଟଙ୍କା ୦୨ ପଇସାକୁ ଖସି ଆସିଛି। ଦେଶରେ ନାୟରା ଏନର୍ଜିର ୭ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ରହିଛି। ସବୁ ପେଟ୍ରୋଲ ପମ୍ପଗୁଡ଼ିକର ମୂଲ୍ୟ ଖସିଛି। ଡିଜେଲ ଦର କମିବା ଫଳରେ ପରିବହନ ଖର୍ଚ୍ଚ କମିବାର ସମ୍ଭାବନା ରହିଛି। ଏହା ଫଳରେ ପନିପରିବା, ଫଳ, ରାସନ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀର ଦର ମଧ୍ୟ ଆଗାମୀ ଦିନରେ କମିପାରେ।

ତୃତୀୟ ପରିବର୍ତ୍ତନ ହେଉଛି ଡିଜେଲ ବିକ୍ରି ଉପରେ ଥିବା କଟକଣା ହଟାଇ ଦିଆଯାଇଛି। ଏବେ ପେଟ୍ରୋଲ ପମ୍ପରେ ଗୋଟିଏ ଗାଡ଼ିରେ ଦିନକୁ ମାତ୍ର ୨୦୦ ଲିଟର ଡିଜେଲ ଭରିବାର ସୀମା ରହିବ ନାହିଁ। ଗ୍ରାହକମାନେ ନିଜ ଆବଶ୍ୟକତା ଅନୁଯାୟୀ ଯେତିକି ଚାହିଁବେ ସେତିକି ଡିଜେଲ ଭରିପାରିବେ। କାରଖାନା ଏବଂ ବଡ଼ ବ୍ୟବସାୟିକ କ୍ରେତାଙ୍କ ଉପରେ ଥିବା କଟକଣା ମଧ୍ୟ ହଟାଯାଇଛି।

ଚତୁର୍ଥ ନିୟମ ହେଲା ଜୁଲାଇ ପହିଲାରୁ ପାସପୋର୍ଟ କରିବା ମହଙ୍ଗା ହେବ। କେନ୍ଦ୍ର ସରକାର ପାସପୋର୍ଟ ଫି ବଢ଼ାଇଛନ୍ତି। ୨୦୧୨ ପରେ ଅର୍ଥାତ୍ ୧୪ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ଫି ବୃଦ୍ଧି କରାଯାଇଛି। ସାଧାରଣ ପାସପୋର୍ଟର ଫି ୧,୫୦୦ ଟଙ୍କାରୁ ବଢ଼ି ୨,୫୦୦ ଟଙ୍କା ହୋଇଛି। ନୂଆ ପାସପୋର୍ଟ କିମ୍ବା ରି-ଇସ୍ୟୁ କରିବା ପାଇଁ ନାଗରିକଙ୍କୁ ୧,୦୦୦ରୁ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

ପରିବର୍ତ୍ତନ ହୋଇଥିବା ପଞ୍ଚମ ନିୟମ ହେଲା ରେଳ ଯାତ୍ରୀଙ୍କ ପାଇଁ ମଧ୍ୟ ବଦଳିଛି ନିୟମ। ବିନା ଟିକେଟରେ ଟ୍ରେନରେ ଯାତ୍ରା କଲେ ଏବେ ସର୍ବନିମ୍ନ ଜରିମାନା ୨୫୦ ଟଙ୍କାରୁ ବଢ଼ି ୫୦୦ ଟଙ୍କା ହୋଇଛି। ଧରାପଡ଼ିଲେ ପ୍ରକୃତ ଭଡ଼ା ସହ ସର୍ବନିମ୍ନ ୫୦୦ ଟଙ୍କା ଦେବାକୁ ପଡ଼ିବ। ମାମଲା ମାଜିଷ୍ଟ୍ରେଟ କୋର୍ଟକୁ ଗଲେ ଏବଂ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୬ ମାସ ଜେଲ, ୧ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ।

ଆଧାର କାର୍ଡଧାରୀଙ୍କ ପାଇଁ ମଧ୍ୟ ରହିଛି ଖୁସି ଖବର। ୟୁଆଇଡିଏଆଇ ଆଧାରରେ ଇ-ମେଲ୍ ଠିକଣା ଅପଡେଟ୍ ପାଇଁ ଲାଗୁଥିବା ୭୫ ଟଙ୍କା ଶୁଳ୍କକୁ ହଟାଇ ଦେଇଛି। ଏହି ସେବା ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା ରହିବ। ଏହା ପରେ ପୁଣି ଶୁଳ୍କ ଲାଗୁ ହୋଇପାରେ। ଏହା ଫଳରେ କୋଟି କୋଟି ନାଗରିକ ବିନା ଶୁଳ୍କରେ ନିଜ ଇ-ମେଲ୍ ଆଇଡି ଆଧାର ସହ ଅପଡେଟ୍ କରିପାରିବେ। ସେହିପରି କେନ୍ଦ୍ର ସରକାର ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍ ଅର୍ଥାତ୍ ବିମାନ ଇନ୍ଧନ ଦରରେ ମଧ୍ୟ ପ୍ରତି ଲିଟର ୫ ଟଙ୍କା ହ୍ରାସ କରିଛନ୍ତି। ଏହା ପରେ ନୂଆ ଦର ପ୍ରତି ଲିଟର ୧୧୦ ଟଙ୍କା ହୋଇଛି। ଏହାର ପ୍ରଭାବରେ ବିମାନ ଟିକେଟ୍ ଦର ମଧ୍ୟ କମିପାରେ।

ଅନ୍ୟପଟେ ନୂଆ କାର କିଣିବା ଆଜିଠାରୁ ମହଙ୍ଗା ହୋଇଛି। ଅଧିକାଂଶ ଅଟୋମୋବାଇଲ କମ୍ପାନୀ ନିଜ ଗାଡ଼ିର ଦର ବଢ଼ାଇଛନ୍ତି। କିଆ ଇଣ୍ଡିଆ ସମସ୍ତ ମଡେଲର ଦରରେ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ଟାଟା ମୋଟର୍ସ ୧.୫ ପ୍ରତିଶତ ପର୍ଯ୍ୟନ୍ତ ଦର ବଢ଼ାଇବାକୁ ଘୋଷଣା କରିଛି।

Leave a comment