ଓଡ଼ିଶାରେ ୪୭୦୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି

ନଭେମ୍ବର ମାସରେ ଓଡ଼ିଶାରେ ୪୭୦୪ କୋଟି ଟଙ୍କାର ଜିଏସ୍‌ଟି( ‌ସାମଗ୍ରୀ ଓ ସେବା ଟିକସ) ଆଦାୟ ହୋଇଛି। ଗତବର୍ଷ ନଭେମ୍ବରରେ ଏହି ରାଶି ୪୨୯୫ କୋଟି ଟଙ୍କା ରହିଥିଲା। ତେଣୁ ଗତବର୍ଷ ନଭେମ୍ବର ତୁଳନାରେ ଚଳିତବର୍ଷ ନଭେମ୍ବରରେ ରାଜ୍ୟର ଜିଏସ୍‌ଟି ଆଦାୟ ରାଶିରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ନଭେମ୍ବର ମାସରେ ଦେଶରେ ଜିଏସ୍‌ଟି ଆଦାୟ ରାଶି ୮.୫ ପ୍ରତିଶତ ବୃଦ୍ଧି ଘଟି ୧.୮୨ ଲକ୍ଷ କୋଟି ଟଙ୍କା ରହିଛି। ଗତବର୍ଷ ନଭେମ୍ବରରେ ଦେଶର ଜିଏସ୍‌ଟି ଆଦାୟ ରାଶି ୧.୬୮ ଲକ୍ଷ କୋଟି ଟଙ୍କା ରହିଥିଲା।

ଚଳିତବର୍ଷ ନଭେମ୍ବରରେ ଆଦାୟ ହୋଇଥିବା ମୋଟ ଜିଏସ୍‌ଟି ମଧ୍ୟରୁ କେନ୍ଦ୍ରୀୟ ଜିଏସ୍‌ଟି ବାବଦରେ ୩୪,୧୪୧ କୋଟି, ରାଜ୍ୟ ଜିଏସ୍‌ଟି ବାବଦରେ ୪୩,୦୪୭ କୋଟି, ସମନ୍ବିତ ଜିଏସ୍‌ଟି ବାବଦରେ ୯୧,୮୨୮ କୋଟି ଏବଂ ସେସ୍‌ ବାବଦରେ ୧୩୨୫୩ କୋଟି ଟଙ୍କା ଆଦାୟ ହୋଇଛି। ରିଫଣ୍ଡ୍‌ ବାବଦରେ ୧୯,୨୫୯ କୋଟି ଟଙ୍କା ଦିଆଯିବା ପରେ ଦେଶରେ ନିଟ୍ ଜିଏସ୍‌ଟି ଆଦାୟ ରାଶି ୧.୬୩ ଲକ୍ଷ କୋଟି ଟଙ୍କା ରହିଥିବା ଆକଳନ କରାଯାଇଛି। ଆର୍ଥିକବର୍ଷ ଆରମ୍ଭରୁ ନଭେମ୍ବର ମଧ୍ୟରେ ଦେଶରେ ୧୪.୫୭ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାଯାଇଛି।