ଜେନ୍ ଜିଙ୍କ ଖର୍ଚ୍ଚ କେବଳ ମଉଜମସ୍ତି ମଧ୍ୟରେ ସୀମିତ ନୁହେଁ, ସେମାନେ ନିଜ ଦରମାର ବଡ଼ ଅଂଶ ପରିବାରର ଦାୟିତ୍ୱରେ ଖର୍ଚ୍ଚ କରୁଛନ୍ତି

ଜେନ୍ ଜି। ଦେଶର ଯୁବପିଢ଼ି। ଲାଇଫ ଷ୍ଟାଇଲ, ନୂଆ ଟ୍ରେଣ୍ଡ ଏବଂ ଚିନ୍ତାଧାରାକୁ ନେଇ ସବୁବେଳେ ଚର୍ଚ୍ଚାରେ। ଅନେକ ସମୟରେ ଧାରଣା ରହିଥାଏ ଯେ, ଆଜିର ଯୁବପିଢ଼ି ନିଜ ରୋଜଗାରର ଅଧିକାଂଶ ଟଙ୍କା ବୁଲାବୁଲି, ବ୍ରାଣ୍ଡେଡ୍ ପୋଷାକ ଓ ମହଙ୍ଗା ସଉକରେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବିକ ଏହା ସତ କି ? ଜେନ ଜିଙ୍କ ଖର୍ଚ୍ଚକୁ ନେଇ ଚକିତ କଲା ପରି ରିପୋର୍ଟ ପ୍ରକାଶ ପାଇଛି।

ଇକୋନୋମିକ ପ୍ଲାଟଫର୍ମ Salaryse ପକ୍ଷରୁ କରାଯାଇଥିବା ଏକ ଷ୍ଟଡି ରିପୋର୍ଟରେ ଜେନ ଜି ଖର୍ଚ୍ଚ ଉପରେ ବିସ୍ତୃତ ତଥ୍ୟ ଦେଇଛି। ୫୨ ଲକ୍ଷରୁ ଅଧିକ ଜେନ୍ ଜି ଯୁବକ-ଯୁବତୀଙ୍କ UPI ଟ୍ରାଞ୍ଜାକ୍ସନକୁ ଗୁରୁତ୍ୱ ଦିଆଯାଇଛି। ଏଥିରୁ ଜଣାପଡ଼ିଛି ଯେ, ଜେନ୍ ଜିଙ୍କ ଖର୍ଚ୍ଚ କେବଳ ମଉଜମସ୍ତି ମଧ୍ୟରେ ସୀମିତ ନୁହେଁ। ସେମାନେ ନିଜ ଦରମାର ବଡ଼ ଅଂଶ ଘରର ଆବଶ୍ୟକତା, ବିଲ୍, ସଞ୍ଚୟ ଓ ପରିବାରର ଦାୟିତ୍ୱରେ ଖର୍ଚ୍ଚ କରୁଛନ୍ତି।

ରିପୋର୍ଟ ଅନୁସାରେ, ଯୁବ କର୍ମଚାରୀମାନେ ନିଜ ଦରମାର ପ୍ରାୟ ୭୦% ଟଙ୍କା ଜରୁରୀ ଆବଶ୍ୟକତା ଏବଂ ଘରୋଇ ଦାୟିତ୍ୱ ପୂରଣରେ ଖର୍ଚ୍ଚ କରୁଛନ୍ତି। ଏଥିରେ ଘର ଭଡ଼ା, ବିଦ୍ୟୁତ ଓ ଫୋନ୍ ବିଲ୍, ରାସନ ଏବଂ ଖାଦ୍ୟପେୟ ଭଳି ଖର୍ଚ୍ଚ ସାମିଲ ରହିଛି। ଜେନ୍ ଜି ନିଜ ଦରମାର ପ୍ରାୟ ୧୫.୭% ଟଙ୍କା ଘରର ରାସନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣିବାରେ ଖର୍ଚ୍ଚ କରୁଛନ୍ତି। ଅର୍ଥାତ୍ ଘରର ଦୈନନ୍ଦିନ ଆବଶ୍ୟକତା ଏବେବି ସେମାନଙ୍କ ଖର୍ଚ୍ଚ ତାଲିକାର ଏକ ବଡ଼ ଅଂଶ।

ବିଦ୍ୟୁତ ବିଲ୍, ମୋବାଇଲ୍ ଓ ଅନ୍ୟାନ୍ୟ ବିଲ୍ ସହିତ OTT ଏବଂ ଡିଜିଟାଲ୍ ସବ୍ସକ୍ରିପସନ୍ ପାଇଁ ଜେନ୍ ଜି ପ୍ରାୟ ୨୦.୧% ଟଙ୍କା ଖର୍ଚ୍ଚ କରୁଛନ୍ତି। Netflix, Spotify ଭଳି ଡିଜିଟାଲ୍ ସେବା ସେମାନଙ୍କ ମାସିକ ଖର୍ଚ୍ଚର ଏକ ଅଂଶ ହୋଇଥିଲେ ମଧ୍ୟ ଏହା ସହିତ ଅନ୍ୟ ଆବଶ୍ୟକ ବିଲ୍ ମଧ୍ୟ ରହିଛି।

ଜେନ୍ ଜିଙ୍କ ଆର୍ଥିକ ଅଭ୍ୟାସର ଆଉ ଏକ ଦିଗ ହେଉଛି ସଞ୍ଚୟ ଓ ନିବେଶ। ରିପୋର୍ଟ ଅନୁସାରେ, ସେମାନେ ନିଜ ଆୟର ପ୍ରାୟ ୧୨.୨% ଟଙ୍କା ବୀମା, ସଞ୍ଚୟ ଓ ନିବେଶ ଭଳି ଭବିଷ୍ୟତ ପାଇଁ ବ୍ୟବହାର କରୁଛନ୍ତି। ଏଥିରୁ ଜଣାପଡୁଛି- ଯୁବପିଢ଼ି ନିଜ ଭବିଷ୍ୟତ ଆର୍ଥିକ ସୁରକ୍ଷା ବା ସେଭିଙ୍ଗସକୁ ନେଇ ସଚେତନ ହେଉଥିବା ସଙ୍କେତ ମିଳୁଛି।

ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାରେ ଜେନ୍ ଜିଙ୍କ ପ୍ରାୟ ୧୧.୯% ଖର୍ଚ୍ଚ ହେଉଛି। ସେହିପରି ବାହାରେ ଖାଇବା କିମ୍ବା ଅନଲାଇନ୍ ଫୁଡ୍ ଅର୍ଡର କରିବାରେ ପ୍ରାୟ ୧୧.୫% ଟଙ୍କା ଖର୍ଚ୍ଚ ହେଉଛି।

ଜେନ୍ ଜିଙ୍କୁ ନେଇ ରହିଥିବା ‘ଅଧିକ ଖର୍ଚ୍ଚ କରୁଥିବା ପିଢ଼ି’ର ଧାରଣାକୁ ସବୁଠାରୁ ଅଧିକ ଭୁଲ୍ ପ୍ରମାଣିତ କରୁଥିବା ତଥ୍ୟ ହେଉଛି ଟ୍ରାଭେଲ୍ ଖର୍ଚ୍ଚ। ରିପୋର୍ଟ ଅନୁସାରେ, ଯାତାୟାତ ଓ ବୁଲାବୁଲି ପାଇଁ ସେମାନଙ୍କ ମାସିକ ଆୟର ପ୍ରାୟ ୫% ହିଁ ଖର୍ଚ୍ଚ କରୁଛନ୍ତି।

Salaryseର ସହ-ପ୍ରତିଷ୍ଠାତା ପୀୟୂଷ ବଗଡ଼ିଆଙ୍କ ଅନୁସାରେ, ଜେନ୍ ଜି ନିଜ ଆର୍ଥିକ ଜୀବନର ପ୍ରାୟ ପ୍ରତ୍ୟେକ ଦିଗକୁ ଡିଜିଟାଲ୍ ଟ୍ରାଞ୍ଜାକ୍ସନକୁ ଫୋକସ ଦେଉଛନ୍ତି। Salaryseର ଏହି ରିପୋର୍ଟ ଦର୍ଶାଉଛି ଯେ, ଜେନ୍ ଜିଙ୍କୁ କେବଳ ମଉଜମସ୍ତି ଓ ଫ୍ୟାଶନ୍ ପଛରେ ଟଙ୍କା ଖର୍ଚ୍ଚ କରୁଥିବା ପିଢ଼ି ଭାବେ ଦେଖିବା ଠିକ୍ ନୁହେଁ। ଆବଶ୍ୟକତା, ପରିବାରର ଦାୟିତ୍ୱ, ସଞ୍ଚୟ, ନିବେଶ ଏବଂ ନିଜ ଇଚ୍ଛା—ସବୁକୁ ସନ୍ତୁଳିତ କରି ଆଗକୁ ବଢ଼ୁଛି ଏହି ନୂଆ ପିଢ଼ି।

Leave a comment