ଓରମାସ ସହ ଅନୁବନ୍ଧନ ମାଧ୍ୟମରେ ଓଡ଼ିଶାଭିତ୍ତିକ ବ୍ୟବସାୟର ପହଂଚ ବୃଦ୍ଧି କରିବ ଜିଇଏମ୍
ଭୁବନେଶ୍ୱରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସୋସାଇଟି (ଓରମାସ) ସହ ସରକାରୀ ଇ -ମାର୍କେଟପ୍ଲେସ୍ (ଜିଇଏମ୍) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶାର ଏମ୍ଏସ୍ଇ, ଗ୍ରାମୀଣ ଉଦ୍ୟୋଗୀ ଓ ଗ୍ରାମୀଣ ଉତ୍ପାଦକଙ୍କ ବ୍ୟବସାୟର ଅଭିବୃଦ୍ଧି ପାଇଁ ଉପଯୁକ୍ତ ବିପଣନ ମାଧ୍ୟମ ସୃଷ୍ଟି କରି ସେମାନଙ୍କୁ ସଶକ୍ତ କରିବା ଦିଗରେ ଓରମାସ ନିଜର ମିଳିତ ପ୍ରୟାସ ପାଇଁ ବେଶ୍ ଜଣାଶୁଣା । ଏହା ସମସ୍ତ ଅନୁବନ୍ଧିତ ଅଂଶୀଦାର ମାନଙ୍କୁ ସେମାନଙ୍କର ସମସ୍ତ ମାର୍କେଟିଂ ଏବଂ ବ୍ରାଣ୍ଡିଂ କାର୍ଯ୍ୟକଳାପରେ ସହାୟତା ମଧ୍ୟ ପ୍ରଦାନ କରିଥାଏ । ଏହି ବୁଝାମଣାପତ୍ର ଜରିଆରେ ଓରମାସ ସହ ଜଡ଼ିତ ସମସ୍ତ କ୍ଷୁଦ୍ର ଉଦ୍ୟୋଗ ଏବଂ ଗ୍ରାମୀଣ ଉତ୍ପାଦକଙ୍କୁ ଜିଇଏମ୍ରେ ନିୟୋଜିତ କରାଯିବ । ଏହି ପ୍ଲାଟଫର୍ମ ଆଞ୍ଚଳିକ ବିକ୍ରେତା ଏବଂ ସେବା ପ୍ରଦାନକାରୀ ମାନଙ୍କୁ ସମଗ୍ର ଦେଶରେ ସରକାରୀ କ୍ରେତାମାନଙ୍କ ସହିତ ବ୍ୟବସାୟ କରିବା ପାଇଁ ସିଧାସଳଖ ବଜାର ସଂଯୋଗ ପ୍ରଦାନ କରିବ ।
ଏହି ବୁଝାମଣାପତ୍ର ଜରିଆରେ ଓରମାସ ସହ ଜଡିତ ମହିଳା ଓ ଏସସି/ଏସଟି ଏମଏସଇ, ଷ୍ଟାର୍ଟଅପ୍, ବୁଣାକାର, କାରିଗର, ଏଫପିଓ, ଏଫପିସି, ଏସଏଚ୍ଜି ଇତ୍ୟାଦି ବିକ୍ରେତାମାନେ ଜିଇଏମ୍ରେ ଉତ୍ସର୍ଗୀକୃତ ଆଉଟଲେଟ ଅଧୀନରେ ସେମାନଙ୍କ ଉତ୍ପାଦ କ୍ୟାଟାଲଗ୍ ପ୍ରଦର୍ଶନ କରି ସେମାନଙ୍କର ବ୍ୟବସାୟ ସୁଯୋଗକୁ ବିସ୍ତାର କରି ପାରିବେ, ଯାହା ଦ୍ୱାରା ସେମାନଙ୍କ ବ୍ରାଣ୍ଡ ଦୃଶ୍ୟମାନତା ବୃଦ୍ଧି ପାଇପାରିବ ଏବଂ ଗ୍ରାମୀଣ ଉତ୍ପାଦ ପାଇଁ ଦୃଢ଼ ବିପଣନ ନେଟୱାର୍କ ପ୍ରତିଷ୍ଠା କରା ଯାଇପାରିବ ।