ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଫାଲ୍କନ୍ ଗ୍ରୁପ୍
ଫାଲ୍କନ୍ ଗ୍ରୁପ୍ ଓଡ଼ିଶାରେ ମୋଟ ୧୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶକରିବ ବୋଲି ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ-୨୦୨୫ର ଉଦ୍ଘାଟନୀ ଉତ୍ସବରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି,ଫାଲ୍କନ୍ ଗ୍ରୁପ୍ର ଏକ ପ୍ରମୁଖ ସହାୟକ କମ୍ପାନୀ, ଯାହା ଓଡ଼ିଶାରେ ଏକ ଟିଟାନିୟମ ଡାଇ ଓକ୍ସାଇଡ୍ (ଟିଆଇଓ୨) ଉତ୍ପାଦନକୁ ପୁନର୍ବିକାଶ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ପ୍ରାୟ ୧୦୫୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରହିଛି। ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୩୦,୦୦୦ ଟନ୍ (କେଟିପିଏ) ହେବାକୁ ଥିବାବେଳେ ଏହାଦ୍ୱାରା ପେଣ୍ଟସ୍, କୋଟିଂ, ପ୍ଲାଷ୍ଟିକ୍ ଏବଂ ବୟନ ଶିଳ୍ପରେ ଟିଆଇଓ୨ର ଉତ୍ପାଦନ ଆବଶ୍ୟକତା ପୂରଣ କରାଯିବ। ଏହା ସହ ୪୫୦କୋଟିର ମଲ୍ଟି-ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମ୍ପ୍ଲେକ୍ସ ଏବଂ ଏଆଇ ଆଣ୍ଡ ରୋବୋଟିକ୍ ଚିକିତ୍ସା ସୁବିଧା ସହ ୫୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ଆର୍ଥିକ ସମୃଦ୍ଧ ବୃଦ୍ଧି କରିବା ସହ ଏହି ନିବେଶ ନିଯୁକ୍ତି ସୃଷ୍ଟି ସହ ୫୦୦୦ରୁ ଊର୍ଦ୍ଧ୍ୱଙ୍କୁ କର୍ମନିଯୁକ୍ତି ମିଳିବ। ଏହି ପରିପ୍ରେକ୍ଷୀରେ ଏକ ବୁଝାମଣାପତ୍ର (ଏମ୍ଓୟୁ) ମଧ୍ୟ ସ୍ବାକ୍ଷର ହୋଇଛି। ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବହୁ ବିଶିଷ୍ଠ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହି ଅବସରରେ ଫାଲ୍କନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ୍ର ଡାଇରେକ୍ଟର ପାର୍ଥଜିତ ପଟ୍ଟନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ପ୍ଲାଣ୍ଟର କ୍ଷମତା ୩୦,୦୦୦ ଟନ୍ କେଟିପିଏ ସହ ଭାରତର ସବୁଠାରୁ ବଡ଼ (ଟିଆଇଓ୨) ପ୍ଲାଣ୍ଟ ହେବ। ଏ ସମ୍ପର୍କରେ ପାର୍ଥଜିତ ପଟ୍ଟନାୟକ କହିଥିଲେ, ଟିଆଇଓ୨ ପ୍ଲାଣ୍ଟ ଓଡ଼ିଶାର ଉଦ୍ୟୋଗ ଏବଂ ଆର୍ଥିକ ବିକାଶରେ ଏକ ମୁଖ୍ୟ ଅଂଶ ହେବ।