ରାଜ୍ୟରେ ଅଣ୍ଡା ଦର ଆକାଶଛୁଆଁ,୯ ରୁ ୧୦ ଟଙ୍କାରେ ବିକ୍ରି ହେଉଛି ଅଣ୍ଡା
ପନିପରିବା ଭଳି ଏବେ ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ଶକ୍ତ ଚାପ ପକାଇଛି ଅଣ୍ଡା। ରାଜ୍ୟରେ ଅଣ୍ଡା ଦର ଏବେ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗି ଆକାଶଛୁଆଁ ହୋଇଛି । ହୋଲସେଲର ବଜାରରେ ବଜାରରେ ଗୋଟିଏ ଅଣ୍ଡାର ଦାମ୍ ୭.୫୦ ପଇସା ରୁ ୮ ଟଙ୍କାରେ ବିକ୍ରି ହେଉଛି । ଏବଂ ଏହା ଦୋକାନକୁ ଆସିଲେ ୯ ରୁ ୧୦ ଟଙ୍କାରେ ବିକ୍ରି ହେଉଛି । ଯେଉଁଥିପାଇଁ ଗ୍ରାହକଙ୍କ ମନରେ ଦେଖିବାକୁ ମିଳିଛି ପ୍ରବଳ ଅସନ୍ତୋଷ।
ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ପ୍ରୋଟିନର ସବୁଠୁ ଶସ୍ତା ଏବଂ ସହଜ ମାଧ୍ୟମ କୁହାଯାଉଥିବା ଅଣ୍ଡା ଏବେ ସାଧାରଣ ଲୋକଙ୍କ ଖାଦ୍ୟ ତାଲିକାରୁ ବାଦ୍ ହେବାକୁ ଲାଗିଲାଣି । କିଛି ଦିନ ତଳେ ଯେଉଁ ଅଣ୍ଡା ଖୁଚୁରା ଦୋକାନରେ ଗୋଟାକୁ ୬ ରୁ ୭ ଟଙ୍କାରେ ମିଳୁଥିଲା, ତାହା ଏବେ ବୃଦ୍ଧି ପାଇ ୯ ରୁ ୧୦ ଟଙ୍କା ଛୁଇଁଛି। ଦୋକାନୀ ହୋଲସେଲରଙ୍କ ଠାରୁ ୭.୫୦ ପଇସା ଓ ୮ ଟଙ୍କାରେ କିଣୁଛନ୍ତି ଆଉ ବିକ୍ରି କଳା ବେଳକୁ କଞ୍ଚା ଅଣ୍ଡା ୧୦ ଓ ବ୍ୟବସାୟୀ ସିଝା ଅଣ୍ଡା ୧୫ ଟଙ୍କାରେ ବିକ୍ରି କରୁଛନ୍ତି।
ଗ୍ରୀଷ୍ମପ୍ରବାହରେ କୁକୁଡ଼ା ମଡ଼କ, ଦାନା ଦର ବୃଦ୍ଧି, ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଯୋଗାଣ ହ୍ରାସ ଏବଂ ଅନ୍ତର୍ଜାତୀୟ ବଜାରକୁ ରପ୍ତାନି ବଢ଼ିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ରାଜ୍ୟ କେବେ ଅଣ୍ଡା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବ, ତାହାକୁ ନେଇ ବି ଉଠିଛି ବଡ଼ ପ୍ରଶ୍ନ। କେବଳ ସାଧାରଣ ଖାଉଟି ନୁହଁନ୍ତି, ଅଧିକ ପ୍ରଭାବିତ ହୋଇଛନ୍ତି ହୋଟେଲ, ମେସ୍, ଏବଂ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀଙ୍କ ମାନେ।
ଗତକାଲି ଏନେଇ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ପ୍ରଚଣ୍ଡ ଖରା ଯୋଗୁଁ କୁକୁଡ଼ା ଫାର୍ମଗୁଡ଼ିକରେ ପ୍ରଚୁର କୁକୁଡ଼ା ମୃତ୍ୟୁବରଣ କରିବା। ସେହିଭଳି କୁକୁଡ଼ାଙ୍କ ଖାଦ୍ୟ ମକା ଓ ସୋୟାବିନ୍ର ଦାମ୍ ବଢ଼ିବାରୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି।ଅଣ୍ଡା ହୋଲସେଲ୍ ବ୍ୟବସାୟୀଙ୍କ କହିବାନୁସରେ ଆମକୁ ଗାଡ଼ି ଭଡ଼ା, ରାସ୍ତାରେ ଭାଙ୍ଗିବା ଓ ନଷ୍ଟ ହେବା ଖର୍ଚ୍ଚ ମିଶାଇ ଆମେ ଖୁଚୁରା ବ୍ୟବସାୟୀଙ୍କୁ ଦେଉଛୁ। ଗାଡ଼ି ଗୁଡ଼ିକରୁ କମ୍ ପରିମାଣର ଅଣ୍ଡା ଆସୁଛି। ସେହିଭଳି ଫାର୍ମ ରେ କୁକୁଡ଼ା ମଡ଼କ ମଧ୍ୟ ଦର ବଢ଼ିବାର ଏକ ମୁଖ୍ୟ କାରଣ । ସବୁଠାରୁ ବଡକଥା ହେଉଛି ଓଡ଼ିଶାରେ ଦୈନିକ ପ୍ରାୟ ୩ କୋଟି ଅଣ୍ଡାର ଚାହିଦା ରହିଛି, ଅର୍ଥାତ୍ ବାର୍ଷିକ ପ୍ରାୟ ୮୦୦ ରୁ ୯୦୦ କୋଟି। ମାତ୍ର ରାଜ୍ୟ ଭିତରେ ମାତ୍ର ୪୬୦ ରୁ ୫୦୦ କୋଟି ଅଣ୍ଡା ଉତ୍ପାଦିତ ହୋଇପାରୁଛି।
ବାକି ପ୍ରାୟ ୪୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଣ୍ଡା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭରଶୀଳ। ଆନ୍ଧ୍ର ବଜାରରେ ସାମାନ୍ୟ ଦର ବଢ଼ିଲେ କିମ୍ବା ଯୋଗାଣ ବାଧାପ୍ରାପ୍ତ ହେଲେ, ତାର ସିଧାସଳଖ ପ୍ରଭାବ ଓଡ଼ିଶା ଖାଉଟିଙ୍କ ଉପରେ ପଡ଼ୁଛି। ଅଣ୍ଡା ଦର ବୃଦ୍ଧି କେବଳ ଗୋଟିଏ ବଜାରର ସମସ୍ୟା ନୁହେଁ, ଏହା ରାଜ୍ୟର ପ୍ରତ୍ୟେକଟି ସାଧାରଣ ପରିବାରର ଆର୍ଥିକ ବଜେଟ୍କୁ ପ୍ରଭାବିତ କରିଛି। କେବେ ଅଣ୍ଡା ଦର ଉପରେ ଆସିବ ନିୟନ୍ତ୍ରଣ ତାହା ଦେଖିବାକୁ ବାକି ରହିଲା