ଧନ୍ତେରସ୍ରେ ସୁନା ଓ ଧାତବ ପଦାର୍ଥ କିଣିଲେ ଘରର ସମୃଦ୍ଧି ବଢ଼ିଥାଏ ବୋଲି ରହିଥିବା ବିଶ୍ବାସକୁ ଆଧାର କରି ଗହଣା ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ଗଢ଼ା ମଜୁରିରେ ରିହାତି, ସୁନାର ଗ୍ରାମ ପିଛା ଫ୍ଲାଟ୍ ରିହାତି, ପୁରୁଣା ସୁନା ବଦଳରେ ନୂଆ ଗହଣା ନେବା, କ୍ୟାସ୍ବ୍ୟାକ୍, ଗିଫ୍ଟ ଭାଉଚର୍ ଭଳି ଅଫର ଘୋଷଣା ହୋଇଛି ଯାହା ଗ୍ରାହକମାନଙ୍କୁ ସୋ’ରୁମ୍କୁ ଟାଣୁଛି। କର୍ପୋରେଟ୍ ସଂସ୍ଥାଗୁଡ଼ିକ ବିପୁଳ ପରିମାଣର ଉପହାର ସାମଗ୍ରୀ ମଧ୍ୟ କିଣୁଛନ୍ତି।
ଚଳିତ ବର୍ଷ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୭୩ ହଜାର ଟଙ୍କା ପାଖାପାଖି ରହିଛି। ଗତବର୍ଷ ତୁଳନାରେ ତାହା ୩୦ ପ୍ରତିଶତ ଅଧିକ। ଅର୍ଥାତ ଯେଉଁମାନେ ଗତବର୍ଷ ସୁନା କିଣିଥିଲେ ସେମାନେ ଏବେ ୩୦ ପ୍ରତିଶତ ଭଳି ଉଚ୍ଚ ରିଟର୍ଣ୍ଣ ପାଇବେ। ଅନ୍ୟ ପକ୍ଷରେ ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ଆଶଙ୍କା ରହିଥିବାରୁ ଗ୍ରାହକମାନେ ଏବେଠାରୁ ନିଜ ଆବଶ୍ୟକତାର ଗହଣା କିଣିନେବାକୁ ଚାହୁଛନ୍ତି। ସେଥିପାଇଁ ଏଥର ବେପାର ବହୁତ ଭଲ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି।