ସର୍ବନିମ୍ନ ପେନସନ୍ ରାଶି ମାସିକ ୭୫୦୦ ଟଙ୍କାକୁ ବଢ଼ାଇବା ପାଇଁ ଦାବି
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଅଧୀନରେ କାର୍ଯ୍ୟରତ ଘରୋଇ କ୍ଷେତ୍ରର କର୍ମଚାରୀମାନେ ସେମାନଙ୍କ ସର୍ବନିମ୍ନ ପେନସନ୍ ରାଶି ମାସିକ ୭୫୦୦ ଟଙ୍କାକୁ ବଢ଼ାଇବା ପାଇଁ ବହୁବର୍ଷ ହେଲା ଦାବି କରିଆସୁଛନ୍ତି। ଏଥିପାଇଁ ଇପିଏସ୍(କର୍ମଚାରୀ ପେନସନ୍ ଯୋଜନା)-୯୫ ପେନସନଭୋଗୀମାନେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶୁକ୍ରବାର ଭେଟି ଆଲୋଚନା କରିଛନ୍ତି। ଇପିଏଫ୍ଓ ଅଧୀନରେ ସର୍ବନିମ୍ନ ପେନସନ୍ ରାଶି ଏବେ ୧୦୦୦ ଟଙ୍କା ରହିଛି। କିନ୍ତୁ ଏହି ରାଶିକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ସହିତ ମହଙ୍ଗାଭତ୍ତା ବ୍ୟବସ୍ଥା କରିବା ଲାଗି ପେନସନଭୋଗୀମାନେ ଦାବି କରିଛନ୍ତି। ଏଥିସହିତ ପେନସନଭୋଗୀ ଓ ତାଙ୍କ ପତି କିମ୍ବା ପନ୍ନୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦେବାକୁ ମଧ୍ୟ ଦାବି କରାଯାଇଛି। ଇପିଏସ୍-୯୫ ଜାତୀୟ ଆନ୍ଦୋଳନ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଅର୍ଥମନ୍ତ୍ରୀ ସେମାନଙ୍କୁ ଦାବିର ଅନୁଧ୍ୟାନ କରି ସହୃଦୟତାର ସହିତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହା ପୂର୍ବରୁ ପାରମ୍ପରିକ ପ୍ରାକ୍-ବଜେଟ୍ ଆଲୋଚନା ସମୟରେ ଅର୍ଥମନ୍ତ୍ରୀଙ୍କୁ ଶ୍ରମିକ ସଂଘର ନେତାମାନେ ଭେଟି ସର୍ବନିମ୍ନ ପେନସନ ୫୦୦୦ ଟଙ୍କା କରିବାକୁ ଦାବି ରଖିଥିଲେ। କିନ୍ତୁ ଇପିଏସ୍-୯୫ ଜାତୀୟ ଆନ୍ଦୋଳନ କମିଟି ପକ୍ଷରୁ ସର୍ବନିମ୍ନ ପେନସନ ୭୫୦୦ ଟଙ୍କା କରିବାକୁ ଦାବି କରାଯାଇଛି। ଶ୍ରମିକସଂଘଗୁଡ଼ିକ ସର୍ବନିମ୍ନ ପେନସନ ୫୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଥିବାରୁ ଇପିଏସ୍ ଜାତୀୟ ଆନ୍ଦୋଳନ କମିଟି ସେମାନଙ୍କୁ ସମାଲୋଚନା କରିଛି। ଏହି ରାଶି ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାକୁ ଅସମର୍ଥ ବୋଲି ସେମାନେ ମତ ରଖିଛନ୍ତି। ଏଥିସହିତ ସର୍ବନିମ୍ନ ପେନସନ୍ ୧୦୦୦ ଟଙ୍କା କରାଗଲା ବୋଲି ୨୦୧୪ ମସିହାରେ ସରକାରଙ୍କ ଘୋଷଣା ସତ୍ତ୍ବେ ଦେଶରେ ଏବେ ୩୬.୬୦ ଲକ୍ଷରୁ ଅଧିକ ବ୍ୟକ୍ତି ୧୦୦୦ ଟଙ୍କାରୁ କମ୍ ପେନସନ ପାଉଛନ୍ତି ବୋଲି କୁହାଯାଇଛି।