୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ,୮ଟି ଜିଲ୍ଲାରେ ହେବ ୧୦ଟି ପ୍ରକଳ୍ପ , ପ୍ରାୟ ୯,୦୦୦ ନିଯୁକ୍ତି ସୃଷ୍ଟି ହେବ

୪୪,୨୦୦ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ । ୮ଟି ଜିଲ୍ଲାରେ ହେବ ୧୦ଟି ପ୍ରକଳ୍ପ । ପ୍ରାୟ ୯,୦୦୦ ନିଯୁକ୍ତି ସୃଷ୍ଟି ହେବ । ନବୀକରଣ ଶକ୍ତି ଏବଂ ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକ ଉପରେ ସରକାରଙ୍କ ଗୁରୁତ୍ୱ । ଖୋର୍ଦ୍ଧାରେ ହେବ ସେମିକଣ୍ଡକ୍ଟର ମେମୋରି ଚିପ୍ ପ୍ଲାଣ୍ଟ । ହାଇ ପରଫର୍ମାନ୍‌ସ ମ୍ୟାଗନେଟ ଉତ୍ପାଦନ (ରେଆର ଆର୍ଥ) ପ୍ଲାଣ୍ଟ ପୁଞ୍ଜି ଆକର୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୩-ସୂତ୍ରୀ ଆକ୍ସନ ପ୍ଲାନ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ୪୪ ତମ ହାଇ ଲେଭେଲ କ୍ଲିଅରାନ୍ସ ଅଥରିଟି ବୈଠକରେ ଆଜି ୪୪, ୨୦୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି ।ରାଜ୍ୟର ୮ଟି ଜିଲ୍ଲାରେ ଏହି ୧୦ଟି ପ୍ରକଳ୍ପ ସ୍ଥାପନ କରାଯିବ, ଯାହାଦ୍ୱାରା ପ୍ରାୟ ୯ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି ଜିଲ୍ଲାଗୁଡ଼ିକ ହେଉଛି- ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ଢେଙ୍କାନାଳ, ପୁରୀ, ନୟାଗଡ଼, କଳାହାଣ୍ଡି ଓ ଦେବଗଡ଼ । ରେଆର ଆର୍ଥ ମାନୁଫାକ୍ଚରିଙ୍ଗ୍, ସେମିକଣ୍ଡକ୍ଟର, ସିମେଣ୍ଟ, ଅଟୋମୋବାଇଲ ଓ ଅଟୋକମ୍ପୋନେଣ୍ଟ, ଟେଲିକମ୍ ଭିତ୍ତିଭୂମି ଏବଂ ଶକ୍ତି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ନିବେଶ ପ୍ରସ୍ତାବ ଗୁଡ଼ିକୁ ମଞ୍ଜୁର କରାଯାଇଛି ।  ବୈଠକରେ ପୁଞ୍ଜି ଆକର୍ଷଣ ଓ ପୁଞ୍ଜି ପ୍ରସ୍ତାବ କାର୍ୟ୍ୟକାରୀ କରିବାରେ ଓଡ଼ିଶାର ଉଚ୍ଚ ପ୍ରଦର୍ଶନ ପାଇଁ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଏବେ ପାରମ୍ପରିକ ଶିଳ୍ପ ବ୍ୟତୀତ ଆଧୁନିକ, ଟେକ୍ନୋଲୋଜି ପରିଚାଳିତ କ୍ଷେତ୍ର ଉପରେ ଗୁରୁତ୍ୱ ପ୍ରଦାନ କରୁଛି ।୪,୬୨୦ କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ଏକ ସେମିକଣ୍ଡକ୍ଟର ମେମୋରୀ ଚିପ୍ ମଡ୍ୟୁଲ୍‌ ପ୍ଲାଣ୍ଟ ଏବଂ ୧୦୫୦ କୋଟି ଟଙ୍କା ବିନିଯୋଗରେ ଏକ ଇଣ୍ଟିଗ୍ରେଟେଡ୍ ହାଇ ପରଫର୍ମାନ୍‌ସ ମ୍ୟାଗନେଟ ମାନୁଫାକ୍ଚରିଙ୍ଗ୍ ଫାସିଲିଟି ନିର୍ମାଣ ହେବ । ସେହିପରି ଢେଙ୍କାନାଳରେ ୩୦୦୦ କୋଟି ଟଙ୍କା ବିନିଯୋଗରେ ଏକ ଅଟୋମୋଟିଭ୍, ଏରୋସ୍ପେଶ୍ ଓ ଡିଫେନ୍ସ ଉପକରଣ ନିର୍ମାଣ ୟୁନିଟ ସ୍ଥାପନ କରିବ ।  କୋରାପୁଟରେ ୨୦୦୦ କୋଟି ଟଙ୍କା ବିନିଯୋଗରେ, ଏବଂ ମାଲକାନଗିରିରେ ୨୦୦୦ କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ ପ୍ରସ୍ତୁତି ୟୁନିଟ ପ୍ରତିଷ୍ଠା ହେବ । ନବୀକରଣୀୟ ଶକ୍ତି ଭିତ୍ତିଭୂମି ନିର୍ମାଣ ପାଇଁ ନୟାଗଡ଼ରେ ୯, ୭୩୧ କୋଟି, କୋରାପୁଟରେ ୯୦୦୦ କୋଟି, କଳାହାଣ୍ଡିରେ ୭୫୦୬.୯୪ କୋଟି ଏବଂ ଦେବଗଡ଼ରେ ୩୭୧୧.୫୬ କୋଟି ଟଙ୍କା ବିନିଯୋଗ ହେବ ।

Leave a comment