ପୋଷକ ଓ ଜୋତା ଶସ୍ତା ହେବ
ବଜେଟ୍ରେ ଆୟକରକୁ ନେଇ ବଡ଼ ଘୋଷଣା କରିଥିବା କେନ୍ଦ୍ର ସରକାର ଖୁବ୍ଶୀଘ୍ର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ହ୍ରାସ କରିବାକୁ ଯାଉଛନ୍ତି। ଏହାର ପ୍ରଭାବରେ ସାଧାରଣ ଜନତାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯଥା ଟୁଥ୍ପେଷ୍ଟ, ବାସନକୁସନ, ପୋଷାକ, ଜୋତା, ଘିଅ, ସାବୁନ, ସ୍ନାକ୍ସ ଆଦି ଶସ୍ତା ହେବାର ସମ୍ଭାବନା ରହିଛି। ଜିଏସ୍ଟି କମ୍ କରି ସରକାର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ଦରଦାମ୍କୁ ଆଶ୍ବସ୍ତି ଦେବାକୁ ଚାହୁଛନ୍ତି। କେନ୍ଦ୍ର ସରକାର ୧୨ ପ୍ରତିଶତ ଟିକସ ସ୍ଲାବ୍କୁ ନେଇ ଦୁଇଟି ବିକଳ୍ପ ଉପରେ ବିଚାର କରୁଛନ୍ତି।
ଗୋଟିଏ ହେଉଛି ଏହି ସ୍ଲାବ୍କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା କିମ୍ବା ସେହି ସ୍ଲାବ୍ରେ ଥିବା ଅଧିକାଂଶ ଜିନିଷକୁ ୫ ପ୍ରତିଶତ ସ୍ଲାବ୍ରେ ସାମିଲ କରିବା। ବିଶେଷ କରି ମଧ୍ୟବିତ୍ତ ଓ ଆର୍ଥିକ ସ୍ତରରେ ଦୁର୍ବଳ ବର୍ଗର ଲୋକମାନେ ବ୍ୟବହାର କରୁଥିବା ଜିନିଷଗୁଡ଼ିକୁ ୫ ପ୍ରତିଶତ ସ୍ଲାବ୍ରେ ସାମିଲ କରାଯିବାର ସମ୍ଭାବନା ରହିଛି। ଜିଏସ୍ଟି ସ୍ଲାବ୍ରେ ହ୍ରାସ କିମ୍ବା ପରିବର୍ତ୍ତନ ଘଟିଲେ ସରକାରଙ୍କ ୫୦ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବ। କିନ୍ତୁ ଏହି ପ୍ରଭାବର ମୁକାବିଲା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ସରକାର ଭାବୁଛନ୍ତି ଯେ ଜିନିଷର ଦାମ୍ କମିଲେ ତାହାର ବ୍ୟବହାର ବଢ଼ିବା ସହ ଅଧିକ ଟିକସ ମିଳିବ।