କୋଇଲା ହବ ହେବ ଅନୁଗୁଳ

ତାଳଚେରରୁ ସରି ଆସୁଛି କୋଇଲା। ଏଥିପାଇଁ ଛେଣ୍ଡିପଦା ଉପ‌ରେ ଏବେ ସରକାରଙ୍କ ଆଖି। ଛେଣ୍ଡିପଦା ବ୍ଲକ୍‌ରେ ପ୍ରଚୁର ପରିମାଣର କୋଇଲା ମହଜୁଦ୍‌ ଥିଲା ବେଳେ ଖୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ୫ ବର୍ଷରେ ଅନୁଗୁଳ ଜିଲ୍ଲାର ୧୬ଟି ନୂଆ କୋଲ୍‌ ବ୍ଲକ୍‌ ଆବଣ୍ଟନ କରାଯାଇଥିଲା ବେଳେ କେବଳ ଛେଣ୍ଡିପଦା ବ୍ଲକ୍‌ରୁ ୧୩ଟି ରହିଛି। ଆଉ କିଛି କୋଲ୍‌ ବ୍ଲକ୍‌ ଆବଣ୍ଟନ କରାଯିବାକୁ ରହିଛି।

ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଓଡ଼ିଶାରେ ସମୁଦାୟ ୨୩ଟି କୋଲ୍‌ ବ୍ଲକ୍‌ ଆବଣ୍ଟନ କରାଯାଇଛି। ଏଥିରୁ କେବଳ ଅନୁଗୁଳ ଜିଲ୍ଲାରେ ୧୬ଟି ରହିଛି। ରାଧିକାରପୁର ୱେଷ୍ଟ କୋଲ୍‌ ବ୍ଲକ୍‌ ବେଦାନ୍ତକୁ ମିଳିଛି। ଜେଏସ୍‌ପିଏଲ୍‌ ଉତ୍କଳ ବି-୧, ଉତ୍କଳ ବି-୨ ଓ ଉତକଳ ସି କୋଲ୍‌ ବ୍ଲକ୍‌ ନେଇଛି। ବୈତରଣୀ ୱେଷ୍ଟ ଓ କୁନ୍ଦନାଳୀ-ଲୁବୁରି କୋଲ ବ୍ଲକ୍‌ ଜିଏମ୍‌ଡିସିକୁ ପ୍ରଦାନ କରାଯାଇଛି। ଅଳକାନନ୍ଦା, ସାକ୍ଷୀଗୋପାଳ-ବି ଓ ଛେଣ୍ଡିପଦା ସଂଶୋଧିକ କୋଲ୍‌ ବ୍ଲକ୍‌ ରୁଙ୍ଗଟା ସନ୍‌ସ ପ୍ରାଇଭେଟ୍ ଲିମିଟେଡ ହ‌ାତେଇଥିଲା। ବଂଖୁଇ କୋଲ୍‌ ବ୍ଲକ୍‌ ୟାଜଦାନୀକୁ ମିଳିଥିଲା ବେଳେ ତାମିଲନାଡ଼ୁ ଜେନେରେସନ୍‌ ଓ ଡ୍ରିଷ୍ଟ୍ରିବ୍ୟୁସନ୍‌ କର୍ପୋରେସନକୁ ଚନ୍ଦ୍ରବିଲ ଓ ସାକ୍ଷୀଗୋପାଳ-ବି କୋଲ୍‌ ବ୍ଲକ୍‌ ସରକାର ଆବଣ୍ଟନ କରିଛନ୍ତି। ଏପଟେ ଏମ୍‌ସିଏଲ୍‌ ଉତ୍କଳ-ଏ, ଏନ୍‌ଏଲ୍‌ସି ଇଣ୍ଡିଆ ମାଛକୁଟା ସଂଶୋଧିତ ଏବଂ ଏପିଜିଇଏନ୍‌ ସରପାଳ-ନୂଆପଡ଼ା କୋଲ୍‌ ବ୍ଲକ୍‌ ପାଇଛନ୍ତି। ନିକଟରେ ନୂଆ ପାତ୍ରପଡ଼ା କୋଲ୍‌ ବ୍ଲକ୍‌ ଏନ୍‌ଏଲ୍‌ସି ଇଣ୍ଡିଆ ହାତେଇଛି।

ଏହି ୫ ବର୍ଷ ଭିତରେ ଆବଣ୍ଟିତ ହୋଇଥିବା କୋଲ୍‌ ବ୍ଳକ୍‌ ଭିତରୁ କେବଳ ଉତ୍କଳ-ସି ରୁ କୋଇଲା ଉତ୍ତୋଳନ ଆରମ୍ଭ ହୋଇଛି। ଏହାକୁ ପାଇଥିବା ଜେଏସ୍‌ପିଏଲ୍‌ ୨୦୨୩-୨୪ରୁ ଖଣି ଖନନ ଆରମ୍ଭ କରିଛି। ଆଉ କିଛି ଖଣି ପାଇଁ ପ୍ରକ୍ରିୟା ଚାଲିଛି। ଏପଟେ ଏ ଭିତରେ ତାଳଚେରରେ ୪ଟି କୋଇଲା ଖଣି ବନ୍ଦ ହୋଇଛି। ଏମ୍‌ସିଏଲ୍‌ ଖୋଳୁଥିବା ସାଉଥ୍‌ ବଲଣ୍ଡା ଖୋଲାମୁହଁ କୋଇଲା ଖଣି, ଛେଣ୍ଡିପଦା ଖୋଲାମୁହଁ କୋଇଲା ଖଣି, ଦେଉଳାବେଡ଼ା ଭୂତଳ କୋଇଲା ଖଣି ଓ ହାଣ୍ଡିଧୂଆଁ ଭୂତଳ କୋଇଲା ଖଣିରୁ କୋଇଲା ଶେଷ ହେବା ପରେ ଏହାକୁ ବନ୍ଦ କରି ଦିଆଯାଇଛି। ଏପଟେ ନୂଆ ଖଣି ଖନନ ପାଇଁ ସରକାର ହାତ ଖୋଲି ଦେଇଥିବାରୁ ଆଗକୁ ଅନୁଗୁଳ କୋଇଲାର ହବ୍‌ ହେବାକୁ ଯାଉଛି। ବିଶେଷକରି ଛେଣ୍ଡିପଦା ଅଞ୍ଚଳ କୋଇଲା ଖଣିରେ ଭରିଯିବ। କେବଳ ଛେଣ୍ଡିପଦାରେ ଡଜନେରୁ ଅଧିକ କୋଇଲା ଖଣି ହେବାକୁ ଯାଉଥିଲା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ଆଉ କିଛି କୋଲ୍‌ ବ୍ଲକ୍‌ ଆବଣ୍ଟନ କରିବାର ଯୋଜନା ରହିଛି।