ଯୁଦ୍ଧର ପ୍ରଭାବ ଏବେ ଆମେରିକାର ଅର୍ଥ ବ୍ୟବସ୍ଥାଓ ଲୋକଙ୍କ ପକେଟ ଉପରେ ପଡିଲାଣି, ଦେଶରେ ପେଟ୍ରୋଲ ଓ ଡିଜେଲ ଉଭୟ ମହଙ୍ଗା
ଇରାନ ବିରୋଧରେ ଜାରି ଯୁଦ୍ଧର ପ୍ରଭାବ ଏବେ ଆମେରିକାର ଅର୍ଥ ବ୍ୟବସ୍ଥା ଓ ଲୋକଙ୍କ ପକେଟ ଉପରେ ପଡିବା ଆରମ୍ଭ କରିଦେଲାଣି। ଏଥିରେ ଇନ୍ଧନ ଦର ବୃଦ୍ଧି ଯୋଗୁ ଲୋକେ ଅଧିକ ଚାପ ଅନୁଭବ କରୁଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଉଭୟ ମହଙ୍ଗା ହୋଇଯାଇଛି। ଫଳରେ ପରିବହନ, କୃଷି, ଉଦ୍ୟୋଗ ଗତିବିଦ୍ଧି ବାବଦ ବ୍ୟୟ ଦ୍ରୁତ ବଢିବାରେ ଲାଗିଛି। ଏଣୁ ଦେଶରେ ମୂଲ୍ୟ ବୃଦ୍ଧିର ପ୍ରଭାବ ସିଧା ନାଗରିକଙ୍କ ଉପରେ ପଡୁଛି। ଜେଟ୍ ଫୁଏଲ ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି, ଫଳରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହୋଇଛି।
ଆମେରିକାରେ ପେଟ୍ରୋଲର ହାରାହାରି ମୂଲ୍ୟ ବୃଦ୍ଧି
ଆମେରିକାରେ ପେଟ୍ରୋଲର ହାରାହାରି ମୂଲ୍ୟ ବଢି ପ୍ରତି ଗ୍ୟାଲନ ୪.୦୯ ଡଲାରକୁ ପହଞ୍ଚି ଯାଇଛି, ଯାହା ଗତ କିଛି ବର୍ଷର ସବୁଠୁ ଉଚ୍ଚତମ ସ୍ତର ବୋଲି କୁହାଯାଉଛି। ସେହିପରି ଡିଜେଲ ମୂଲ୍ୟ ମଧ୍ୟ ବର୍ଷକ ପୂର୍ବ ମୂଲ୍ୟ ତୁଳନାରେ ବଢି ପ୍ରତି ଗ୍ୟାଲନ ୫.୫୩ ଡଲାରକୁ ପହଞ୍ଚି ଯାଇଛି। କୃଷି, ନିର୍ମାଣ ଓ ଟ୍ରାନ୍ସପୋର୍ଟ ପାଇଁ ଦେଶରେ ଡିଜେଲର ଆବଶ୍ୟକାତ ଢେର ଅଧିକ। ଏଣୁ ଡିଜେଲ ମୂଲ୍ୟ ବୃଦ୍ଧିର ଏବେ ବ୍ୟାପକ ପ୍ରଭାବ ଦେଖାଯାଉଛି।
କର୍ପୋରେଟ ସେକ୍ଟର ମଧ୍ୟ ପ୍ରଭାବିତ
ଇନ୍ଧନ ମୂଲ୍ୟ ବୃଦ୍ଧିର ପ୍ରଭାବ ବଡ଼ କର୍ପୋରେଟ ସେକ୍ଟରଙ୍କ ଉପରେ ମଧ୍ୟ ପଡିଛି। ଇ-କମର୍ସ କମ୍ପାନୀ ଆମାଜନ ଏପ୍ରିଲ ୧୭ ତାରିଖରୁ ତାଙ୍କର ଥାର୍ଡ ପାର୍ଟି ବିକ୍ରେତାଙ୍କ ଉପରେ ୩.୫% ଅତିରିକ୍ତ ଇନ୍ଧନ ଓ ଲଜିଷ୍ଟିକ୍ ଶୁଳ୍କ ଲଗାଇବାକୁ ନିଷ୍ପତି ନେଇଛି। କମ୍ପାନୀର କହିବା କଥା ହେଉଛି ବର୍ଦ୍ଧିତ ମୂଲ୍ୟ ଏ ପର୍ଯ୍ୟନ୍ତ କମ୍ପାନୀ ବହନ କରିଆସୁଥିଲା। ହେଲେ ଏବେକା ପରିସ୍ଥିତିରେ ଆଉ ଖର୍ଚ୍ଚ ଭାର ବହନ ସମ୍ଭବ ନୁହେଁ। ସେହିପରି ଆମେରିକୀୟ ଡାକ ସେବା ପାର୍ସଲ ଓ ଏକ୍ସପ୍ରେସ ଡେଲିଭରୀ ଉପରେ ଅସ୍ଥାୟୀ ଇନ୍ଧନ ସରଚାର୍ଜ ଲଗାଇବାକୁ ପ୍ରସ୍ତୁତି କରୁଛି।
ସଂକଟର ବଡ଼ କାରଣ କ’ଣ?
ଏହି ପୁରା ସଂକଟର ଏକ ବଡ଼ କାରଣ ହେଉଛି ହୋର୍ମୁଜ ପ୍ରଣାଳୀ ଅବରୋଧ ରହିବା। ଏହି ସାମୁଦ୍ରିକ ମାର୍ଗ ଦେଇ ବିଶ୍ୱର ବିସ୍ତୃତ ଅଞ୍ଚଳକୁ ତୈଳ ଓ ଗ୍ୟାସ୍ ପହଞ୍ଚି ଥାଏ। ହେଲେ ଏବେ ଇରାନ କଟକଣା ଯୋଗୁ ଏହି ମାର୍ଗରେ ଯାତାୟାତ ବାଧିତ ହୋଇଛି। ବିଶେଷଜ୍ଞଙ୍କ କହିବା କଥା ହେଉଛି ଯଦି ଏହି ମାର୍ଗ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ ରହେ ତେବେ ଯୋଗାଣ ଶୃଙ୍ଖଳା ଉପରେ ଗୁରୁତର ପ୍ରଭାବ ପଡିବ। ଏଥିରେ ଅର୍ଥନୀତିଜ୍ଞ ପରିବହନ ବାବଦ ବ୍ୟୟ ବଢିଲେ ଅନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ବଢିବ ବୋଲି ଚେତାବନୀ ଦେଇଛନ୍ତି। ଏଣୁ ଦେଶର ମୁଦ୍ରାସ୍ଫୀତି ବଢିପାରେ।
ଆମେରିକାର ମୁଦ୍ରାସ୍ଫୀତି ହାର କିଛି ସମୟ ପର୍ଯ୍ୟନ୍ତ ନିୟନ୍ତ୍ରିତ ଥିଲା। ହେଲେ ତୈଳ ମୂଲ୍ୟ ବୃଦ୍ଧି ଓ ଯୁଦ୍ଧ ବାବଦ ଖର୍ଚ୍ଚ ବଢିଚାଲିବା ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି। ଏବେ ଯୁଦ୍ଧ ଆହୁରି ଦୀର୍ଘ ହୋଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ବିଶେଷଜ୍ଞମାନେ ଆଗାମୀ ସମୟରେ ମୁଦ୍ରାସ୍ଫୀତି ୪% ବା ତାଠୁ ଅଧିକ ହୋଇପରେ ବୋଲି ଆଶଙ୍କା କରୁଛନ୍ତି। ଏଣୁ ଦେଶରେ ସାଧାରଣ ଲୋକଙ୍କ ଆର୍ଥିକ ସମସ୍ୟା ଗୁରୁତର ହୋଇପାରେ ବୋଲି ଆକଳନ କରାଯାଉଛି।