ରାଜ୍ୟ ସରକାର ଖୁବ୍ଶୀଘ୍ର ୨୨ଟି ଖଣି କରିବେ ନିଲାମ
ରାଜ୍ୟ ସରକାର ଖୁବ୍ଶୀଘ୍ର ୨୨ଟି ଖଣି ନିଲାମ କରିବେ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାର ଅମଳରେ ଦୀର୍ଘଦିନ ପର୍ଯ୍ୟନ୍ତ ଖଣି ଲିଜ୍ ଦିଆଯାଇନଥିଲା। ଆମ ସରକାର ଗଠନ ହେବାର ଏକ ବର୍ଷ ଭିତରେ ୮ଟି ଖଣି ନିଲାମ କରାଯାଇଛି। ଖୁବ୍ଶୀଘ୍ର ଆଉ ୨୨ଟି ଖଣି ନିଲାମ କରିବା ଲାଗି ଉଦ୍ୟମ କରାଯାଉଛି।
ସେଗୁଡ଼ିକ ନିଲାମ ହେଲେ ରାଜ୍ୟ ସରକାରଙ୍କୁ ଅଧିକ ରାଜସ୍ବ ମିଳିବ ଏବଂ ଶିଳ୍ପ ସ୍ଥାପନ କରିବା ଲାଗି ନୂତନ ପୁଞ୍ଜିନିବେଶ ଆସିପାରିବ ବୋଲି ସେ କହିଛନ୍ତି। ଖଣି ନିଲାମକୁ ଠିକ୍ ସମୟରେ ଓ ସ୍ବଚ୍ଛତାର ସହ କରିବା ଲାଗି ନୂଆ ଖଣି ଅଫିସର ନିଯୁକ୍ତ କରାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟ ସରକାର ଖଣିର ଇ-ନିଲାମ ଆରମ୍ଭ କରିଥିଲେ। ସୁନ୍ଦରଗଡ଼ ଓ କେନ୍ଦୁଝରରେ ଥିବା ଲୁହାପଥର ଓ ମାଙ୍ଗାନିଜ ଖଣି ନିଲାମ କରାଯାଇଥିଲା। ନିଲାମ ପାଇଁ ଇସ୍ପାତ ଓ ଖଣି ବିଭାଗ ମଞ୍ଜୁର କରିଥିବା ୧୦ଟି ଖଣି ଭିତରୁ ୮ଟି ଖଣିକୁ ନିଲାମରେ ସାମିଲ କରାଯାଇଥିଲା।