ସୁନା ଦର 96 ହଜାର ଟପିଲା

ସୁନା ଦର ଗତଦୁଇ ଦିନ କମ୍ ହେବା ପରେ ବୁଧବାର ପୁଣି ମହଙ୍ଗା ହୋଇଛି। ଗୋଟିଏ ଦିନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୯୫୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍ ସୁନା ୯୯୦ ଟଙ୍କା ମହଙ୍ଗା ହୋଇଛି। ଏହି ଦରବୃଦ୍ଧି ପରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍ ୮୮,୧୫୦ ଟଙ୍କାକୁ ଏବଂ ୨୪ କ୍ୟାରେଟ୍ ସୁନା ଦାମ୍ ୯୬,୧୭୦ ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଥମ ଥର ପାଇଁ ସୁନା ଦର ୯୬ ହଜାର ଟଙ୍କାରୁ ଅଧିକ ହୋଇଛି। ଯେଉଁଭଳି ଭାବେ ସୁନା ଦରରେ ଅସ୍ଥିରତା ‌ରହିଛି, ତାହା ଅଳ୍ପ ଦିନ ଭିତରେ ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ହେଉନାହିଁ। ନିକଟରେ ଗୋଲ୍ଡମ୍ୟାନ୍ ସଚ୍‌ସ ଆକଳନ କରିଥିଲା ଯେ ଖୁବ୍‌ଶୀଘ୍ର ଭାରତରେ ସୁନା ଦର ୧ ଲକ୍ଷ ୩୦ ହଜାର ଟଙ୍କାରୁ ଅଧିକ ହୋଇଯିବ। ବୁଧବାର ଭୁବନେଶ୍ବରରେ ରୁପା ଦର ମଧ୍ୟ ୨୦୦୦ ଟଙ୍କା ବଢ଼ିଛି। ଫଳରେ ଏହାର କେଜି ପିଛା ଦାମ୍ ୧,୧୦,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଆଉ ଅଳ୍ପ ଦିନ ପରେ ଅକ୍ଷୟ ତୃତୀୟା ଆସୁଥିବା ବେଳେ ସୁନାର ଏଭଳି ଚଢ଼ା ଦର ଉଭୟ ଗ୍ରାହକ ଓ ବ୍ୟବସାୟୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ବିବାହ ଉତ୍ସବ ଲାଗି ସୁନା କିଣିବାକୁ ଚାହୁଥିବା ଗ୍ରାହକମାନଙ୍କ ଲାଗି ବିଶେଷ କିଛି ବିକଳ୍ପ ବି ନାହିଁ। ସେମାନେ ବାଧ୍ୟ ହୋଇ ଚଢ଼ା ଦରରେ ଗହଣା କିଣୁଛନ୍ତି। ଦରବୃଦ୍ଧି ସମ୍ପର୍କରେ ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ପ୍ରଭାସ ମିଶ୍ର ଗ୍ରାହକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ନିବେଶ ପାଇଁ ସୁନା କିଣନ୍ତୁ। କିନ୍ତୁ ବିବାହ ଓ ବ୍ରତଘର ଲାଗି ଉପହାର ଦେବାକୁ ହେଲେ ସୁନାର ବିକଳ୍ପ ବିଷୟରେ ଲୋକମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି। ସେ କହିଛନ୍ତି ଯେ ମାସେ ପରେ ସୁନା ଦରରେ ସ୍ଥିରତା ଫେରିଆସିବ ବୋଲି ଆଶା କରାଯାଉଛି। କିନ୍ତୁ ତା’ପୂର୍ବରୁ ଦାମ୍ ଲକ୍ଷେ ଟଙ୍କା ଛୁଇଁପାରେ। ପୁଞ୍ଜି ବଜାର ଉପରେ ଥିବା ଚାପ ପାଇଁ ସୁନା ଦର ବଢ଼ୁଛି। ନିବେଶକମାନେ ସୁନା ପ୍ରତି ଆକର୍ଷିତ ହୋଇଥିବାରୁ ତାହାର ଚାହିଦା ବଢ଼ିଛି। ସେଥିପାଇଁ ଏହି ମୂଲ୍ୟବାନ ଧାତୁ ମହଙ୍ଗା ହୋଇଥିବା ସେ କହିଛନ୍ତି। ସୁନା କେବଳ ଭୁବନେଶ୍ବରରେ ନୁହେଁ, ସାରା ବିଶ୍ବରେ ମସୁନା ହଙ୍ଗା ହେଉଛି। ସର୍ବଭାରତୀୟ ସରାଫା ସଂଘର ତଥ୍ୟ ଅନୁସାରେ ଦିଲ୍ଲୀରେ ସୁନା ଦର ୧୬୫୦ ଟଙ୍କା ବୃଦ୍ଧି ପାଇ ୯୮,୧୦୦ ଟଙ୍କାରେ ପହଞ୍ଚିଛି। ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ପ୍ରଭାବରେ ସୁନା ମହଙ୍ଗା ହେଉଥିବା କୁହାଯାଉଛି। ଦିଲ୍ଲୀରେ ରୁପା କେଜି ୧୯୦୦ ଟଙ୍କା ବୃଦ୍ଧି ପାଇ ୯୯,୪୦୦ ଟଙ୍କା ହୋଇଛି। ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୩,୩୧୮ ଡଲାର ରହିଛି।

Leave a comment