ପୁରୀ ଗସ୍ତରେ କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ

କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ ପୁରୀ ଗ୍ରସ୍ତରେ ଆସି ପିପିଲି ବ୍ଳକରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରୀତା ସମୀକ୍ଷା କରିଛନ୍ତି । ତାଙ୍କ ସହ ନୀତି ଆୟୋଗର ବରିଷ୍ଠ ସଭ୍ୟ ବିନୋଦ କୁମାର ପଲ ଓ ଅନ୍ୟ ସଦସ୍ୟ ମାନେ ପିପିଲି ବ୍ଳକର ବିଭିନ୍ନ ଅଞ୍ଚଳ ବୁଲି  ଯୋଜନାର କାର୍ଯ୍ୟକାରୀତା ଅନୁଧ୍ୟାନ କରିଥିଲେ। ନୀତି ଆୟୋଗ ଉପାଧକ୍ଷଙ୍କ ସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ପରିଦର୍ଶନରେ ଆସିଥିଲେ। ବିଶେଷ କରି ପିପିଲି ବ୍ଲକ ପରିସରରେ ଥିବା ମିଶନଶକ୍ତି କାଫେରେ ଚା ପିଇବା ସହ ଦାୟୀତ୍ବରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସେମାନଙ୍କ ଜୀବନ ଓ ଜୀବିକା ବିଷୟରେ ପଚାରି ବୁଝିଥିଲେ। ତାପରେ ପିପିଲି ମଠସାହି ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ଵାସ୍ଥ୍ୟ ଉପକେନ୍ଦ୍ର ବୁଲି ଦେଖିଥିଲେ। ଶେଷରେ ପିପିଲି ଜବାହର ବିଦ୍ୟାପୀଠରେ ଶିକ୍ଷୟତ୍ରୀ ଡିଜିଟାଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପଢ଼ାଉଥିବା ବେଳେ ତାହାକୁ ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଅଟଳ ଟିଙ୍କରିଂ ଲ୍ୟାବର  ବ୍ୟବହାର କରୁଥିବା ଦେଖି ଶ୍ରୀ ବେରୀ ପ୍ରଶଂସା କରିଥଲେ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବୋନ୍ମେଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ନୀତି ଆୟୋଗ ଦେଶବ୍ୟାପୀ ଏପରି ଲ୍ୟାବ ପ୍ରତିଷ୍ଠା କରୁଛି ବୋଲି ସେ କହିଥିଲେ । କେନ୍ଦ୍ର ସରକାର ସହଭାଗୀ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ରାଜ୍ୟ ସରକାର ମାନଙ୍କ ସହ ସମନ୍ବୟ ରକ୍ଷାକରି ବିକାଶମୂଳକ ଯୋଜନାର କ୍ରିୟାନ୍ଵୟନକୁ ତ୍ୱରାନ୍ୱିତ କରୁଛନ୍ତି । ଏହି କ୍ରମରେ ସେ ଓଡ଼ିଶା ଆସି ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନାର ରୂପାୟନ ସମ୍ପର୍କରେ ଅବଗତ ହେଉଛନ୍ତି ବୋଲି ଶ୍ରୀ ବେରୀ କହିଥିଲେ । 

କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀଙ୍କ ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ,ପିପିଲି ବିଡିଓ, ତହସିଲଦାର, ପିପିଲି ବ୍ଲକ ଅଧକ୍ଷାଙ୍କ ସମେତ ବିଭିନ୍ନ  ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।