୧୦ ୱିକେଟ୍‌ ବିଜୟୀ ହେଲା ଭାରତ

ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି । ବୁମ୍‌ରାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬/୧୯) କାରଣରୁ କେନିଂଟନ୍‌ ଓଭାଲରେ ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ରୋହିତ ଶର୍ମାଙ୍କ ଅପରାଜିତ ୭୬ ରନ୍‌, ୫୮ ବଲ୍, ୬ ଚୌକା, ୫ ଛକା ବଳରେ ଭାରତ ମାତ୍ର ୧୮.୪ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।

ରୋହିତ ଶର୍ମା-ଶିଖର ଧାୱନ ଚତୁର୍ଥ ଶତକୀୟ (୧୧୪*) ଭାଗୀଦାରି କରିବାରେ ତୃତୀୟ ଯୋଡ଼ି ହୋଇଥିଲେ।

ପ୍ରଥମ ଭାରତୀୟ ପେସ୍‌ ବୋଲର ଭାବେ ମଧ୍ୟ ବୁମ୍‌ରା ୬ ୱିକେଟ୍ ସଫଳତା ପାଇଲେ। ବୁମ୍‌ରାଙ୍କ ପ୍ରଦର୍ଶନ ବଳରେ ଇଂଲଣ୍ଡ ମଧ୍ୟ ଭାରତ ବିପକ୍ଷରେ ନିଜ ସର୍ବନିମ୍ନ ସ୍କୋର୍‌ କରିଥିଲା। ପୂର୍ବରୁ ଦିନିକିଆରେ ଭାରତୀୟ ବୋଲର କେବେ ବି ଇଂଲଣ୍ଡକୁ ୧୧୦ ରନ୍‌ ପୂର୍ବରୁ ଆଉଟ୍ କରିନଥିଲେ। ଇଂଲଣ୍ଡ ମଧ୍ୟ ପ୍ରଥମ ଥର ପାଇଁ ଘରୋଇ ମାଟିରେ ୧୦ ୱିକେଟ୍‌ରେ ହାରିଥିଲା।

ଇଂଲଣ୍ଡର ୪ ଜଣ ବ୍ୟାଟର୍‌ ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ । ୭.୨ ଓଭର ବୋଲିଂ କରି ମାତ୍ର ୧୯ ରନଦେଇ ୬ଟି ଓ୍ବିକେଟ ନେଇଥିଲେ ବୁମରାହ । ପ୍ରଥମରୁ ଚମତ୍କାର ବୋଲିଂକରି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଦେଇଥିଲେ ସ୍ବିଙ୍ଗ କିଙ୍ଗ ବୁମରାହ । ଏକ ପ୍ରକାର ଆତ୍ମସମର୍ପଣ କରିଥିଲା ଘରୋଇ ଦଳ ।

ଦଳର ସ୍ଥିତି ଏପରି ଯେ ୭ ଜଣ ବ୍ୟାଟର୍‌ ଦୁଇ ଅଙ୍କ ସ୍କୋର ମଧ୍ୟ କରିପାରିନଥିଲେ । ଆରମ୍ଭରୁ ହିଁ ବୁମରାହଙ୍କ ବଲକୁ ବୁଝିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ ଇଂରେଜ୍‌ ବ୍ୟାଟର । ଜେସନ୍‌ ରୟ, ଜୋ ରୁଟ୍, ବେନ୍‌ ଷ୍ଟୋକସ୍‌ ଏବଂ ଲିୟାମ ଲିଭିଙ୍ଗଷ୍ଟୋନଙ୍କ ଭଳି ଟପ୍‌ କ୍ଲାସ୍‌ ବ୍ୟାଟର ଖାତା ମଧ୍ୟ ଖୋଲିବାକୁ ସକ୍ଷମ ହୋଇନଥିଲେ । ସେହିଭଳି ଜନି ବୈୟାରିଷ୍ଟୋ ୭ରନ, ଅଧିନାୟକ ଜୋସ୍‌ ବଟଲର ୩୦ ରନ, ମୋଇନ ଅଲ୍ଲୀ ୧୪ରନ, ଡେଭିଡ୍‌ ଓ୍ବିଲି ୨୧ରନ, କ୍ରେଗ୍‌ ଓଭରଟନ୍‌ ୮ରନ, ବ୍ରେଡୋନ୍‌ କାର୍ସେ ୧୫ରନ କରି ଆଉଟ ହୋଇଥିଲେ । ରିସି ଟୋପଲେ ୬ରନ କରି ନଟଆଉଟ୍‌ ଥିଲେ।