ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଓଡ଼ିଶାରେ ପଦ୍ମ ଫୁଟିବ ଫୁଟିବ ବୋଲି ଫୁଟିପାରୁନି । ମୋଦିଙ୍କ ଲୋକପ୍ରିୟତାର ସଫଳ ଉପଯୋଗ ଓଡ଼ିଶା ମାଟିରେ ରାଜ୍ୟ ନେତାମାନେ କରିବାରେ ବିଫଳ ହୋଇଛନ୍ତି । 2019 ନିର୍ବାଚନ ପୂର୍ବରୁ 120 ମିଶନ ଫେଲ ମାରିବା ପରେ ଓଡ଼ିଶା ଶାସନକୁ ଅକ୍ତିଆର କରିବା ଲକ୍ଷ୍ୟରେ ବିଜେପି ଏବେ ବି ରାସ୍ତା ଖୋଜୁଛି । ଯଦି ବା ରାଜ୍ୟରେ 22 ଜଣ ବିଧାୟକ ବିଜେପିର ଅଛନ୍ତି । ତେବେ ବିଜେଡିରେ ବିଦ୍ରୋହ ସୃଷ୍ଟି କରି ମହାରାଷ୍ଟ୍ର ଭଳି ଶାସନ କ୍ଷମତା ଦଖଲ ଲକ୍ଷ୍ୟରେ ଅପରେସନ କମଳ କରିବା ନେଇ ମାନସ ମନ୍ଥନ ଚାଲିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବିଜେପି ସରକାରର ସମସ୍ତ ଜାତୀୟ ନୀତିକୁ ସମର୍ଥନ କରୁଥିବାରୁ କେନ୍ଦ୍ରୀୟ ବିଜେପି ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ତାର କୂଟନୀତିକ ପଶାପାଲି ଖୋଲିନାହିଁ । ଧାରା 370 ହେଉ କିମ୍ବା ଟ୍ରିପଲ ତଲାକ ହେଉ, ବିମୁଦ୍ରାୟନ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଆସିଛି । 2002ରୁ 2009 ପର୍ଯ୍ୟନ୍ତି ଓଡ଼ିଶାରେ ବିଜେଡି ବିଜେପି ମେଂଟ ସରକାର ରହିଥିଲା । ମେଂଟ ଭାଙ୍ଗିଲା ପରେ ବିଜେପି ଯେଉଁଭଳି ସଫଳତା ପାଇବା କଥା ତାହା ସମ୍ଭବ ହୋଇନାହିଁ । ତେବେ 2024 ପୂର୍ବରୁ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପାଇଁ ଗଳାବାଟ ଖୋଜିପାରେ ବୋଲି ଆଲୋଚନା ହେଉଛି । ଦେଶର ବିଭିନ୍ନ ରାଜ୍ୟରେ ବିଜେପି ଅପରେସନ କମଳ କରି ସଫଳ ହୋଇଛି । ନିକଟରେ ମହାରାଷ୍ଟ୍ରରେ ଅପରେସନ କମଳ ଚଳାଇ ଉଦ୍ଧବ ଠାକରେଙ୍କୁ ଗାଦିଚ୍ୟୁତ କରିବା ପରେ ଏକନାଥ ସିନ୍ଦେ ଙ୍କୁ ମୁଖ୍ୟମନ୍ତ୍ରୀ କରି ଶାସନ କ୍ଷମତା ଦଖଲ କରିଛି । ଏହା ପୂର୍ବରୁ ମଧ୍ୟପ୍ରଦେଶ ହେଉ ଗୋଆ ହେଉ କଂଗ୍ରସ ଦଳକୁ ବିଭାଜିତ କରି ସେଠାରେ ବିଜେପି ଶାସନ କରୁଛି । କର୍ଣ୍ଣାଟକରେ ମଧ୍ୟ କଂଗ୍ରେସ ସହ ଥିବା ଗଠବନ୍ଧନ ସରକାରକୁ କ୍ଷମତାଚ୍ୟୁତ କରିଥିଲା । ଆସାମରେ ମଧ୍ୟ କଂଗ୍ରେସ ଭିତରେ ଫାଟ କରି କଂଗ୍ରେସ ବରିଷ୍ଠ ନେତା ହେମନ୍ତ ବିଶ୍ବଶର୍ମାଙ୍କୁ ଦଳକୁ ଆଣି ଏବେ ସେଠାରେ ଶାସନ କରୁଛି । ମଣିପୁରରେ ମଧ୍ୟ ମାଣିକ ସରକାରକୁ ହଟାଇ ସେଠାରେ ବହୁଦିନ ପରେ ମେଂଟ କରି ଶାସନ କରୁଛି ବିଜେପି । କିନ୍ତୁ ବିଜେଡି ସାଂସଦ ଅନୁଭବ ମହାନ୍ତି ଅମିତ ଶାହଙ୍କୁ ନିକଟରେ ସାକ୍ଷାତ କରିବା ପରେ ଏକନାଥର ଭୂମିକା ଓଡ଼ିଶାରେ ଗ୍ରହଣ କରିବେ କି ବୋଲି ରାଜନୈତିକ ବିଶ୍ଲେଷକ ମଧ୍ୟରେ ଆଲୋଚ୍ୟର ବିଷୟ ହୋଇଛି ।
ଓଡ଼ିଶା କଥା ଦେଖିଲେ ବିଜେପି ନେତା ମଧ୍ୟରେ ଏକତା ନାହିଁ ବୋଲି ଅପରେସନ କମଳ ଆଗକୁ ବଢ଼ିଯାଇପାରୁନାହିଁ । ଦୀର୍ଘ ବର୍ଷ ଧରି ସେହିପରି କଂଗ୍ରେସ କିମ୍ବା ବିଜେଡିରେ ଫାଟ ସୃଷ୍ଟି କରି ଶାସନ କ୍ଷମତାର ବାଟ ବାହାର କରିପାରୁନାହିଁ । ନିକଟରେ ବିଜେଡି ସରକାରରୁ 8ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ନବୀନ ବିଦା କରିଛନ୍ତି । ସେମାନେ ଯଦି ବା ଉପରକୁ ବିଦ୍ରୋହ କରୁନାହାଁନ୍ତି କି କହିପାରୁନାହାଁନ୍ତି ତେବେ ଭିତରେ ଅସନ୍ତୋଷ ରହିଛି । ସେହି ଅସନ୍ତୋଷକୁ ବିଜେପି କିନ୍ତୁ ଫାଇଦା ନେଇପାରୁନାହିଁ । 8 ଜଣ ସାଂସଦ ବିଜେପିର ଥିଲେ ମଧ୍ୟ ସେମାନେ ବିଜେଡି ସାଂସଦମାନଙ୍କୁ ନିଜ ସପକ୍ଷରେ ଆଜି ଯାଏ ନେବା ପାଇଁ ଉଦ୍ୟମ କରିନାହାନ୍ତି । ସେହିପରି ରାଜ୍ୟରେ ଥିବା 22 ଜଣ ବିଧାୟକ ବିଜେଡି ମଧ୍ୟରେ ବିଦ୍ରୋହୀ ବିଧାୟକ ସୃଷ୍ଟି କରିପାରିନାହାଁନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାଟ ଓଗାଳୁଥିବା ବେଳେ କମଳ ଅପରେସନର ବାଟ ବାହାର କରିବାରେ ଅସମର୍ଥ ହୋଇଛନ୍ତି । ଜାତୀୟ ସ୍ତରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରରେ ଏବଂ ଦଳରେ ଦବଦବା ରହିଥିଲେ ମଧ୍ୟ ଓଡ଼ିଶାରେ ବିଜେପିକୁ ଆଗକୁ ନେବାରେ କାହିଁକି ଦବିଯାଉଛନ୍ତି ତାହା ବଡ଼ ପ୍ରଶ୍ନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ଓଡ଼ିଶା ବିଜେପି ଫିକା ପଡ଼ିଯାଇଛି ।