ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଆସୁଛନ୍ତି ଓଡ଼ିଶା । ଓଡ଼ିଶା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜୋରଦାର ସ୍ବାଗତ ପାଇଁ ଅପେକ୍ଷାରେ ଅଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ଅତିଥି ଭାବେ ଦ୍ରୈାପଦୀ ମୁର୍ମୁଙ୍କୁ ସ୍ବାଗତ କରାଯିବ । ଦ୍ରୈାପଦୀଙ୍କ ନିଜ ରାଜ୍ୟରେ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ ହେଉଛି।
ଏନଡିଏ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଓଡ଼ିଆ ଝିଅ ପାଇଁ ବିଜେଡି ସୁପ୍ରିମୋ ନବୀନ ତାଙ୍କୁ ଜିତାଇବା ପାଇଁ ଲାଗିପଡିଛନ୍ତି । ଏପରିକି ବିଭିନ୍ନ ଦଳର ବିଧାୟକ ଭୋଟ ଦେବା ପାଇଁ ବିଜେଡି ନେତା ଘର ଘର ବୁଲି ବିଧାୟକଙ୍କୁ ସମର୍ଥନ ପାଇଁ ଅନୁରୋଧ କରୁଛନ୍ତି ।
ଆସନ୍ତାକାଲି ୧୦ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବେ । ପ୍ରଥମେ ନବୀନ ନିବାସ ଯାଇ ଦ୍ରୈାପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ। ଓୈପଚାରିକ ଭାବେ ସେ ନିଜ ପାଇଁ ସମର୍ଥନ ମାଗିବେ । ଏହାପରେ ସେଠାରୁ ବିଧାନସଭାକୁ ଆସିବେ ଦ୍ରୈାପଦୀ ମୁର୍ମୁ । ବିଧାନସଭାର ୫୪ ନମ୍ବର କକ୍ଷରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ ହେଉଛି। ଏଥିରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ ବୋଲି ଘୋଷଣା କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ଏବେ ସେ ସ୍ୱାଧୀନ ବିଧାୟକ । ଓଡ଼ିଆ ଝିଅ ହୋଇଥିବାରୁ ବିବେକ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବେ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।