ମେଟ୍ରୋ ଟିଭି ଓଡିଶା (୨୧.୬.୨୦୨୨)
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର । ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ପୂର୍ବରୁ ବିରୋଧୀ ମହାମେଣ୍ଟ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।

ପ୍ରେସ୍ କନଫରେନ୍ସରେ ଶ୍ରୀ ନଡ୍ଡା କହିଥିଲେ, ଆଜି ପର୍ଯ୍ୟନ୍ତ ଦେଶକୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିନାହାନ୍ତି । ତେଣୁ ଏଥର ଦେଶକୁ ଜଣେ ମହିଳା ରାଷ୍ଟ୍ରପତି ମିଳିବା ଦରକାର । ଶିକ୍ଷା କ୍ଷେତ୍ରରେ ଦ୍ରୌପଦୀଙ୍କର ଅନେକ ଅଭିଜ୍ଞତା ରହିଛି । ତେବେ ଦ୍ରୌପଦୀଙ୍କ ନାମ ଘୋଷଣା କରି ବିଜେପି ଆଦିବାସୀ ସମୁଦାୟଙ୍କ ପ୍ରଶଂସା ସାିଁଟିଥିବା ବେଳେ ଅନ୍ୟପଟେ ମହିଳା ସଶକ୍ତିକରଣ ନେଇ ମଧ୍ୟ ସନ୍ଦେଶ ଦେଇଛି ।୧୯୫୮ ମସିହା ଜୁନ ୨୦ ତାରିଖରେ ଦ୍ରୌପଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବୈଦାପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଓ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାରରେ ରାଜ୍ୟର ମନ୍ତ୍ରୀ ରହିଥିଲେ । ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ୱରେ ରହିଥିଲେ ।