ବନ୍ୟା ପାଣିରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅନେକ ଶିକ୍ଷାନୁଷ୍ଠାନ ପ୍ରଭାବିତ,ପିଲାଙ୍କୁ ମିଳିବ ନୂଆ ବହି

ବାତ୍ୟା ଅର୍ଣ୍ଣବ ପରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ବନ୍ୟା ପାଣିରେ ଅନେକ ଶିକ୍ଷାନୁଷ୍ଠାନ ପ୍ରଭାବିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ବହିପତ୍ର ମଧ୍ୟ ନଷ୍ଟ ହୋଇଯାଇଛି। ଏଭଳି ସ୍ଥିତିରେ ପିଲାଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ନୂଆ ବହି ଯୋଗାଇବା ସହ କ୍ଷତିଗ୍ରସ୍ତ ସ୍କୁଲଗୁଡ଼ିକର ମରାମତି କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ମାନଙ୍କଠାରୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି। କେଉଁ ସ୍କୁଲର କେତେ କ୍ଷତି ହୋଇଛି, କେଉଁଠି ମରାମତି ଆବଶ୍ୟକ ଏବଂ କେତେ ପିଲାଙ୍କ ବହିପତ୍ର ନଷ୍ଟ ହୋଇଛି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଛାତ୍ରଛାତ୍ରୀଙ୍କୁ ନୂଆ ବହି ଯୋଗାଇଦେବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ସମ୍ପାଦକଙ୍କ ସହ ଆଲୋଚନା ହୋଇଛି। ଖୁବଶୀଘ୍ର ପ୍ରଭାବିତ ପିଲାଙ୍କ ନିକଟରେ ବହି ପହଞ୍ଚାଇବାକୁ ଉଦ୍ୟମ କରାଯିବ।ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍କୁଲ କୋଠା ଓ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଛି। କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ ଆବଶ୍ୟକ ଅନୁଯାୟୀ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବନ୍ୟା ପରେ ଶିକ୍ଷା ବ୍ୟବସ୍ଥାକୁ ପୁଣି ସ୍ୱାଭାବିକ କରିବା ସହ ପିଲାଙ୍କ ପାଠପଢ଼ା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଏହି ପଦକ୍ଷେପ ନିଆଯାଉଛି।

Leave a comment