ଜାପାନ ଓ ଓଡ଼ିଶା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଆସନ୍ତା ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଜାପାନର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ। ଜାପାନର ଟଟୋରୀ ପ୍ରଦେଶରୁ ପ୍ରାୟ ୧୦୦ ଜଣିଆ ପ୍ରତିନିଧି ଏହି ଗସ୍ତରେ ସାମିଲ ହେବେ। ଏହି ପ୍ରତିନିଧି ଦଳର ନେତୃତ୍ୱ ନେବେ ଟଟୋରୀ ପ୍ରଦେଶର ରାଜ୍ୟପାଳ ଶିଞ୍ଜି ହିରାଇ। ତାଙ୍କ ସହିତ ସେଠାକାର ବରିଷ୍ଠ ସରକାରୀ ଅଧିକାରୀ, ପ୍ରମୁଖ ଶିଳ୍ପପତି ଏବଂ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ପ୍ରତିନିଧିମାନେ ମଧ୍ୟ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ଓଡ଼ିଶା ସରକାରଙ୍କ ସହ ଏକାଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଓ ସହଭାଗିତା ନେଇ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ।
ଏହି ଗସ୍ତ ଦ୍ୱାରା ରାଜ୍ୟରେ ଶିଳ୍ପ, ବାଣିଜ୍ୟ, ନିଯୁକ୍ତି ଏବଂ ଉନ୍ନତ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହା ଓଡ଼ିଶାକୁ ଅଧିକରୁ ଅଧିକ ଜାପାନୀ ପୁଞ୍ଜିନିବେଶ ଆକର୍ଷିତ କରିବା ସହ ଦୁଇ ପକ୍ଷ ମଧ୍ୟରେ ବ୍ୟାବସାୟିକ ଭାଗୀଦାରୀକୁ ନୂଆ ଦିଶା ଦେବ।
ଏହି ପ୍ରତିନିଧି ଦଳରେ ଟଟୋରୀ ସରକାରଙ୍କ ଭାରତୀୟ ବ୍ୟବସାୟ ପରାମର୍ଶଦାତା କୁନା ଦାଶ ସାମିଲ ରହିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ, ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ପାଇଁ ବଡ଼ ସୁଯୋଗ ଆଣିଦେବ। ଓଡ଼ିଶାରେ ଥିବା ଐତିହାସିକ ବୌଦ୍ଧ କୀର୍ତ୍ତିରାଜି ଜାପାନୀ ପର୍ଯ୍ୟଟକମାନଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ପାଲଟିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଓ ଆୟୋଜନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।