ବାତ୍ୟା ‘ମୁରାସୁ’ର ଅବଶେଷ ଏବେ ଅବପାତ ରୂପରେ,ଆଗାମୀ ଦୁଇ ଦିନ ବର୍ଷା ଜାରି

ବାତ୍ୟା ‘ମୁରାସୁ’ର ଅବଶେଷ ଏବେ ଅବପାତ ରୂପରେ ରହିଛି । ଆଗାମୀ ୬ ଘଣ୍ଟାରେ ଉତ୍ତର ଦିଗକୁ ଗତି କରି ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗାମୀ ଦୁଇ ଦିନ ବର୍ଷା ଜାରି ରହିବ। ଆଜି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଜିଲ୍ଲା ଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିପାଇଁ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି।୬ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏହାପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି । ଆଉ ଏକ ଲଘୁଚାପ କିମ୍ବା ସମ୍ଭାବ୍ୟ ବାତ୍ୟାକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟତା ଆସିନାହିଁ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

Leave a comment