ଆଜି ଅଗ୍ନି ପରୀକ୍ଷା ଦେବେ ଟ୍ରମ୍ପ, ମଧ୍ୟବର୍ତ୍ତୀ ନିର୍ବାଚନ ବା ମିଡ୍ ଟର୍ମ ଇଲେକ୍ସନରେ ଆମେରିକାବାସୀ ଚୟନ କରିବେ ପ୍ରତିନିଧି

ଆଜି ଅଗ୍ନି ପରୀକ୍ଷା ଦେବେ ଟ୍ରମ୍ପ । ମଧ୍ୟବର୍ତ୍ତୀ ନିର୍ବାଚନ ବା ମିଡ୍ ଟର୍ମ ଇଲେକ୍ସନରେ ଆମେରିକାବାସୀ ଚୟନ କରିବେ ପ୍ରତିନିଧି ।  ଆମେରିକା କଂଗ୍ରେସର ଦୁଇଟି ସଦନ ପାଇଁ ନିର୍ବାଚନ ହେବ । ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସର ସମସ୍ତ ୪୩୫ଟି ଆସନ ଏବଂ ସିନେଟର ଏକ ତୃତୀୟାଂଶ ଆସନ ବା ପ୍ରାୟ ୩୫ଟି ଆସନ ପାଇଁ ମତଦାନ ହେବ ।  ଏହା ସହ କେତେକ ରାଜ୍ୟରେ ଗଭର୍ଣ୍ଣର ଓ ଅନ୍ୟାନ୍ୟ ପଦ ପାଇଁ ମଧ୍ୟ ନିର୍ବାଚନ ହେବ ।  ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାରଣ ନିର୍ବାଚନ ଫଳାଫଳ ଆଗାମୀ ଦୁଇ ବର୍ଷ ପାଇଁ ଟ୍ରମ୍ପଙ୍କ ଶାସନ ଓ ନୀତି କାର୍ଯ୍ୟକାରୀ କରିବାର କ୍ଷମତାକୁ ପ୍ରଭାବିତ କରିପାରେ ।

ଏବେ ଆମେରିକା କଂଗ୍ରେସର ଉଭୟ ସଦନରେ ରିପବ୍ଲିକାନ୍ ପାର୍ଟିର ସଂଖ୍ୟାଗରିଷ୍ଠତା ରହିଛି । ତେଣୁ ଟ୍ରମ୍ପଙ୍କ ପ୍ରଶାସନ ପାଇଁ ନିଜ ଦଳର ସମର୍ଥନରେ ବିଭିନ୍ନ ଆଇନ ଓ ନୀତିକୁ ଆଗକୁ ବଢ଼ାଇବା ତୁଳନାତ୍ମକ ଭାବେ ସହଜ ହୋଇଛି । କିନ୍ତୁ ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ଗୋଟିଏ କିମ୍ବା ଉଭୟ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କଲେ ପରିସ୍ଥିତି ବଦଳିପାରେ । ସଂସଦରେ ବିରୋଧୀ ଦଳର ଦବଦବା ବଢିଲେ ଟ୍ରମ୍ପଙ୍କ ବିଭିନ୍ନ ପ୍ରସ୍ତାବ ଅଟକିବାର ସମ୍ଭାବନା ରହିଛି । ସରକାରୀ ଖର୍ଚ୍ଚ, ବଜେଟ୍, ପ୍ରବାସନ ଓ ଅନ୍ୟାନ୍ୟ ନୀତି ଉପରେ ଅଧିକ ପ୍ରଶ୍ନ ଉଠିପାରେ । ଏହା ସହ ଟ୍ରମ୍ପ ପ୍ରଶାସନର କାର୍ଯ୍ୟକଳାପ ଉପରେ କଂଗ୍ରେସର ତଦନ୍ତ ଓ ତଦାରଖ ବଢ଼ିପାରେ । ତେବେ ଏହି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପରାଜିତ ହେଲେ ଟ୍ରମ୍ପ ରାଷ୍ଟ୍ରପତି ପଦ ହରାଇବେ ନାହିଁ । ତାଙ୍କର ଚାରି ବର୍ଷିଆ କାର୍ଯ୍ୟକାଳ ଜାରି ରହିବ।

ରାଷ୍ଟ୍ରପତିଙ୍କ ଭିଟୋ ଓ ଅନ୍ୟାନ୍ୟ ସାମ୍ବିଧାନିକ କ୍ଷମତା ବଜାୟ ରହିବ । କିନ୍ତୁ ଆଗାମୀ ଦୁଇ ବର୍ଷରେ ନିଜ ନୀତିକୁ କାର୍ଯ୍ୟକାରୀ କରିବାରେ ଟ୍ରମ୍ପ ଅଧିକ ରାଜନୈତିକ ପ୍ରତିବନ୍ଧକ ସାମ୍ନା କରିପାରନ୍ତି । ସେଥିପାଇଁ ଟ୍ରମ୍ପ ନିଜ ଦଳ ଓ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଛନ୍ତି । ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟି ଗୋଟିଏ ସଦନରେ ସଂଖ୍ୟାଗରିଷ୍ଠତା ହାସଲ କଲେ ଆଇନ ପ୍ରଣୟନ, ବଜେଟ୍ ଓ ସରକାରୀ ନିଷ୍ପତ୍ତି ଉପରେ ରାଜନୈତିକ ମତଭେଦ ବଢ଼ିପାରେ । ଡେମୋକ୍ରାଟିକ୍ ପାର୍ଟି ଉଭୟ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ କଲେ ଟ୍ରମ୍ପ ପ୍ରଶାସନ ଉପରେ କଂଗ୍ରେସର ତଦାରଖ ବଢ଼ିପାରେ ।  ିଆନେମଧ୍ୟବର୍ତ୍ତୀ ନିର୍ବାଚନ କେବଳ ଆମେରିକାର ସଂସଦୀୟ ସଂଖ୍ୟାଗରିଷ୍ଠତା ନିର୍ଦ୍ଧାରଣ କରିବ ନାହିଁ । ବରଂ ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅବଶିଷ୍ଟ ଦୁଇ ବର୍ଷର ରାଜନୈତିକ ଦିଗ ମଧ୍ୟ ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ ।

Leave a comment