ଋଷିକୁଲ୍ୟାରେ ବନ୍ୟା ବିଭୀଷିକା କେବଳ ବର୍ଷା ନା ବେଆଇନ ବାଲି ଉତ୍ତୋଳନ ବି ଦାୟୀ?

ଋଷିକୁଲ୍ୟାରେ ବନ୍ୟା ବିଭୀଷିକା କେବଳ ବର୍ଷା ନା ବେଆଇନ ବାଲି ଉତ୍ତୋଳନ ବି ଦାୟୀ? ନଦୀଶଯ୍ୟାରୁ ଅତ୍ୟଧିକ ବାଲି ଉତ୍ତୋଳନ ଦୁର୍ବଳ କରୁଛି କି ନଦୀବନ୍ଧ? ଋଷିକୁଲ୍ୟାରେ ବାଲି ଖନନକୁ ନେଇ ପୂର୍ବରୁ ଉଠିଛି ଅଭିଯୋଗ, ଏନଜିଟି ବି ଦେଇଛନ୍ତି ତଦନ୍ତ ନିର୍ଦ୍ଦେଶ । ଗଞ୍ଜାମରେ ବନ୍ୟା ବିଭୀଷିକା ପରେ ଏବେ ଋଷିକୁଲ୍ୟା ନଦୀକୁ ନେଇ ଉଠିଛି ଏକ ବଡ଼ ପ୍ରଶ୍ନ । ନଦୀରେ ଆସିଥିବା ଭୟଙ୍କର ବନ୍ୟା ପାଇଁ କେବଳ ପ୍ରବଳ ବର୍ଷା ଦାୟୀ, ନା ନଦୀଶଯ୍ୟାରୁ ଅନିୟନ୍ତ୍ରିତ ବାଲି ଉତ୍ତୋଳନ ମଧ୍ୟ ବନ୍ୟାର ପ୍ରଭାବକୁ ଆହୁରି ବଢ଼ାଇଦେଇଛି? ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ପରେ ଋଷିକୁଲ୍ୟା ନଦୀ ଫୁଲି ଉଠିଥିଲା ।

ଆସିକା, ସୋରଡ଼ା, ପୁରୁଷୋତ୍ତମପୁର ସମେତ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଅକ୍ଟୋବର ୩୦ରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁରୁଷୋତ୍ତମପୁରରେ ନଦୀର ଜଳସ୍ତର ୧୭ ମିଟର ବିପଦ ସଙ୍କେତ ଟପି ୧୯ ମିଟରରେ ପହଞ୍ଚିଥିଲା । ଗୋବା ନିକଟରେ ନଦୀବନ୍ଧର ଏକ ଅଂଶ ଭାଙ୍ଗିବାରୁ ଆଖପାଖ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଥିଲା । କିନ୍ତୁ ଏହି ବନ୍ୟା ସହିତ ନଦୀରେ ଚାଲିଥିବା ବାଲି ଉତ୍ତୋଳନର କୌଣସି ସମ୍ପର୍କ ରହିଛି କି? ବୈଜ୍ଞାନିକ ଅଧ୍ୟୟନ କହୁଛି, ନଦୀଶଯ୍ୟାରୁ ଅତ୍ୟଧିକ ବାଲି ଉଠାଇଲେ ନଦୀର ପ୍ରାକୃତିକ ସନ୍ତୁଳନ ବିଗିଡ଼ିପାରେ ।

ନଦୀର ଗଭୀରତା, ପ୍ରବାହର ବେଗ, ନଦୀକୂଳର ସ୍ଥିରତା ଓ ପଟୁମାଟି ପରିବହନ ପ୍ରକ୍ରିୟା ପ୍ରଭାବିତ ହୋଇପାରେ । ଏହା ଫଳରେ ବର୍ଷା ସମୟରେ କେତେକ ସ୍ଥାନରେ ନଦୀକୂଳ ଭାଙ୍ଗିବା ଓ ବନ୍ୟାଜନିତ କ୍ଷୟକ୍ଷତି ବଢ଼ିବାର ଆଶଙ୍କା ରହିଥାଏ । ଋଷିକୁଲ୍ୟା ନଦୀରେ ବାଲି ଖନନ ନେଇ ପୂର୍ବରୁ ଅନେକ ଅଭିଯୋଗ ସାମ୍ନାକୁ ଆସିଛି ।

ଏବେ ପ୍ରଶ୍ନ ହେଉଛି, ଆସିକାରୁ ପୁରୁଷୋତ୍ତମପୁର ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀଶଯ୍ୟାର ସ୍ଥିତି କ’ଣ? ନଦୀବନ୍ଧ ନିକଟରେ କେତେ ବାଲି ଉତ୍ତୋଳନ ହୋଇଛି? ନଦୀର ଗତିପଥରେ କିଛି ପରିବର୍ତ୍ତନ ଆସିଛି କି? ବନ୍ୟା ପୂର୍ବରୁ ନଦୀବନ୍ଧର ସ୍ଥିତି କିପରି ଥିଲା? ନଦୀକୂଳ ନିକଟରୁ ବାଲି ଉଠାଇଲେ ମାଟିର ତଳଭାଗ କ୍ଷୟ ହୋଇପାରେ। ପ୍ରବଳ ସ୍ରୋତ ସମୟରେ କୂଳ ଭୁଶୁଡ଼ିବାର ଆଶଙ୍କା ବଢ଼େ । ନଦୀବନ୍ଧର ଭିତ୍ତି ନିକଟରେ ଅତ୍ୟଧିକ ଖନନ ହେଲେ ଏହାର ସ୍ଥିରତା ପ୍ରଭାବିତ ହୋଇପାରେ ।

Leave a comment