ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ାରେ ୨ ଦିନ ସ୍କୁଲ ଛୁଟି । ନଭେମ୍ବର ୩ ଓ ୪ରେ ବନ୍ଦ ରହିବ ସମସ୍ତ ସ୍କୁଲ । ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହେବ ବିଦ୍ୟାଳୟ । ବାତ୍ୟା ‘ମୁରାସୁ’କୁ ନେଇ ଆଗୁଆ ସତର୍କତା ଅବଲମ୍ବନ କରିଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟା ପ୍ରଭାବ ଓ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ନଭେମ୍ବର ୩ ଓ ୪ ତାରିଖ, ଅର୍ଥାତ୍ ମଙ୍ଗଳବାର ଓ ବୁଧବାର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ବନ୍ଦ ରହିବ । ଏହି ନିର୍ଦ୍ଦେଶ କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲାଗୁ ହେବ ।
ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି । ତେବେ ସ୍କୁଲ ଛୁଟି ରହିଲେ ମଧ୍ୟ ଆବଶ୍ୟକସ୍ଥଳେ ବିଦ୍ୟାଳୟଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଏଥିପାଇଁ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେଣୀଗୃହର ଚାବି ସ୍ଥାନୀୟ ଶିକ୍ଷକ କିମ୍ବା ଦାୟିତ୍ୱପ୍ରାପ୍ତ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଛି। ସେହିପରି ସମସ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୋବାଇଲ ଫୋନ୍ ସବୁବେଳେ ଚାଲୁ ରଖିବା ସହ ପ୍ରଶାସନର ଜରୁରୀ ଡାକରା ମିଳିଲେ ତୁରନ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି । ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ପାଳନ କରିବାକୁ ଜିଲ୍ଲା ପ୍ରଶାସନ କହିଛି ।
ଅନ୍ୟପଟେ ବଙ୍ଗୋପସାଗରରେ ସକ୍ରିୟ ରହିଛି ଭୀଷଣ ବାତ୍ୟା ‘ମୁରାସୁ’। ଭାରତୀୟ ପାଣିପାଗ ବିଭାଗର ନଭେମ୍ବର ୨ ତାରିଖ ସୂଚନା ଅନୁଯାୟୀ, ଏହା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିଲା । ବାତ୍ୟା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଥିବାବେଳେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ପ୍ରଶାସନ ଆଗୁଆ ପ୍ରସ୍ତୁତି ଚଳାଇଛି ।
ବିଶେଷକରି ରାୟଗଡ଼ା ଭଳି ପାହାଡ଼ିଆ ଜିଲ୍ଲାରେ ପ୍ରବଳ ବର୍ଷା ହେଲେ ଭୂସ୍ଖଳନ, ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ଓ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇପାରେ । ଏଭଳି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ଶିକ୍ଷାନୁଷ୍ଠାନ ବନ୍ଦ ସହ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ୱ ଦେଇଛି ।