ରାଜଧାନୀ ଭୁବନେଶ୍ୱରରେ ଚଳିତ ଋତୁର ପ୍ରଥମ ଘନ କୁହୁଡ଼ି ଦୃଶ୍ୟମାନ
ବର୍ଷା ଛାଡ଼ିବା ପରେ ଶୀତର ଆଗମନ । ରାଜଧାନୀ ଭୁବନେଶ୍ୱରରେ ଚଳିତ ଋତୁର ପ୍ରଥମ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି। ଆଜି ସକାଳୁ ସହରର ସର୍ବନିମ୍ନ ଦୃଶ୍ୟମାନ ଦୂରତା ପ୍ରାୟ ୧୫୦ ମିଟରକୁ ଖସିଆସିଥିବା ବେଳେ ସାରା ସହର କୁହୁଡ଼ିର ଏକ ମୋଟା ଧଳା ଚାଦରରେ ଢାଙ୍କି ହୋଇଯାଇଛି।
କେବଳ ଭୁବନେଶ୍ୱର ନୁହେଁ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଆଜି ସକାଳୁ ଚଳିତ ବର୍ଷର ପ୍ରଥମ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଘନ କୁହୁଡ଼ି କାରଣରୁ ସକାଳୁ ସକାଳୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାଘାଟ, ଗଛଲତାଠାରୁ ଆରମ୍ଭ କରି ବଡ଼ ବଡ଼ ବିଲ୍ଡିଂ ପର୍ଯ୍ୟନ୍ତ ସବୁକିଛି କୁହୁଡ଼ିରେ ଲୁଚି ରହିଥିବା ଦେଖିବାକୁ ମିଳିଛି। ଗାଡ଼ିଚାଳକମାନେ ହେଡ଼ଲାଇଟ୍ ଜାଳି ମନ୍ଥର ଗତିରେ ଯାତ୍ରା କରିବାକୁ ବାଧ୍ୟ ହେଉଛନ୍ତି ।ଅନ୍ୟପଟେ କୁହୁଡ଼ି ଭରା ଶୀତୁଆ ସକାଳର ମନୋରମ ପ୍ରାକୃତିକ ଦୃଶ୍ୟକୁ ରାଜଧାନୀବାସୀ ଉପଭୋଗ କରୁଛନ୍ତି। ଆଗାମୀ ଦିନରେ ରାତିର ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢ଼ିବ ଏବଂ ଏପରି କୁହୁଡ଼ିର ଆସ୍ତରଣ ଆଗକୁ ଆହୁରି ଅଧିକ ଦେଖାଯିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।