ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଅର୍ଣ୍ଣବ । ଆସନ୍ତା ୨୮ ତାରିଖ ଅପରାହ୍ଣରେ ବାତ୍ୟା କରିପାରେ ଲ୍ୟାଣ୍ଡଫଲ୍ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାକୁ ବାତ୍ୟା ଅର୍ଣ୍ଣବ ପ୍ରଭାବିତ କରିବା ଆକଳନ କରାଯାଇଛି । ଏହି ସମୟରେ ଦକ୍ଷିଣ ଓଡ଼ିଶାରେ ଅଧିକ ବେଗରେ ବର୍ଷା ଓ ପବନ ବହିବ।
ଗଞ୍ଜାମ,ଗଜପତି,ନବରଙ୍ଗପୁର,ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ,କଳାହାଣ୍ଡି ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାକୁ ଆଖି ଆଗରେ ରଖି ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଆସନ୍ତା ୨୮ ଓ ୨୯ ତାରିଖ ଦୁଇଦିନ ସ୍କୁଲ୍ , କଲେଜ ଛୁଟି ଘୋଷଣା କରାଯାଇଛି। ଅନ୍ୟ ଜିଲ୍ଲାର ପରିସ୍ଥିତି ନେଇ ବାକି ଜିଲ୍ଲାର ଜିଲ୍ଲାପାଳ ନିଷ୍ପତ୍ତି ନେବେ। ତେବେ ବାତ୍ୟା ମୁକାବିଲା ପାଇଁ ରାଜ୍ୟସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ।
ଜିରୋ କାଜୁଆଲିଟି ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି, ପ୍ରଥମେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବିଶେଷ କରି ରୋଗୀ, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର ଦିଗରେ ପ୍ରାଥମିକତା ଦିଆଯିବ।
ଅପରପକ୍ଷେ ଓଡ୍ରାଫ୍ , NDRF, ଅଗ୍ନିଶମ ବାହିନୀ ପ୍ରମୁଖ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଥିବା ଜଣାପଡ଼ିଛି। ସେହିପରି ବାତ୍ୟାକୁ ଆଖି ଆଗରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ବିନା ସୂଚନାରେ ସମୁଦ୍ର ମଧ୍ୟକୁ ଯାଇଛନ୍ତି, ସେମାନଙ୍କୁ ଫେରିଆସିଵା ପାଇଁ ନିର୍ଦ୍ଦେଶ ଦିଆଯାଇଛି।