ଏଣିକି ଅଜଣା ନମ୍ବରରୁ କଲ୍ ଆସିଲେ ଦେଖାଯିବ ନାମ
ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ମୋବାଇଲ୍କୁ ଅଜଣା ନମ୍ବରରୁ ଆସୁଥିବା କଲ୍କୁ ନେଇ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଟେଲିକମ୍ ବିଭାଗ (DoT) ଟେଲିକମ୍ କମ୍ପାନୀଗୁଡ଼ିକୁ କଲିଂ ନେମ୍ ପ୍ରେଜେଣ୍ଟେସନ୍ ବା CNAP ସେବା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସେବା ଆରମ୍ଭ ହେବା ପରେ ଫୋନ୍କୁ କଲ୍ ଆସିବା ସମୟରେ ମୋବାଇଲ୍ ନମ୍ବର ସହ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଦେଖାଯିବ । ବିଭାଗ ପକ୍ଷରୁ ଅକ୍ଟୋବର ୧୩ ତାରିଖରେ ଜାରି ସର୍କୁଲାର ଅନୁଯାୟୀ, ଏହି ସୁବିଧା ସମସ୍ତ ସର୍ଭିସ୍ ଏରିଆରେ ଲାଗୁ କରାଯିବ ।
CNAP ସେବା ଅନୁଯାୟୀ, କଲ୍ ରିସିଭ୍ କରୁଥିବା ବ୍ୟକ୍ତିଙ୍କ ମୋବାଇଲ୍ରେ ଦୁଇଟି ତଥ୍ୟ ପ୍ରଦର୍ଶିତ ହେବ । ପ୍ରଥମଟି ହେଉଛି କଲ୍ କରୁଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ହୋଇଥିଲାବେଳେ ଦ୍ୱିତୀୟଟି ତାଙ୍କ ପରିଚୟ ସହ ଜଡ଼ିତ ନାମ । ଯଦି କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ଆପଣଙ୍କ ଫୋନ୍ର କଣ୍ଟାକ୍ଟ ଲିଷ୍ଟରେ ସେଭ୍ ହୋଇଥାଏ, ତେବେ ସେଠାରେ ଥିବା ନାମ ଦେଖାଯିବ । ଯଦି ନମ୍ବର ସେଭ୍ ହୋଇନଥିବ ତେବେ ଘରୋଇ କଲ୍ କ୍ଷେତ୍ରରେ ଟେଲିକମ୍ ଅପରେଟରଙ୍କ ଗ୍ରାହକ ରେକର୍ଡରେ ଥିବା ନାମ ଦେଖାଯିବ । ଅନ୍ତର୍ଜାତୀୟ କଲ୍ ଆସିଲେ, ଅଜଣା ନମ୍ବର ସହିତ ‘International Call’ ଲେଖା ଦେଖାଯିବ ।
ଦୂରସଞ୍ଚାର ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକ କୌଣସି ପୃଥକ ଅନୁରୋଧ ବିନା ଗ୍ରାହକମାନଙ୍କୁ ଏହି ସେବା ପ୍ରଦାନ କରିବାକୁ ପଡିବ, ଅର୍ଥାତ୍ ଗ୍ରାହକମାନଙ୍କୁ ସେବା ସବସ୍କ୍ରାଇବ ନେବାକୁ କିମ୍ବା ଆକ୍ଟିଭ୍ କରିବାକୁ ପଡିବ ନାହିଁ । ତେବେ ପ୍ରାରମ୍ଭିକ ନିର୍ଦ୍ଦେଶରେ 4G ଏବଂ ନୂଆ ୱେୟାରଲେସ୍ ନେଟୱର୍କରେ ଏହି ସେବା ଲାଗୁ କରିବାକୁ କୁହାଯାଇଛି । 2G, 3G ଏବଂ ଲ୍ୟାଣ୍ଡଲାଇନ୍ ନେଟୱର୍କରେ ଏହାକୁ ଲାଗୁ କରିବା ନେଇ ପରବର୍ତ୍ତୀ ସମୟରେ ବିଚାର କରାଯିବ । ତେବେ ଆସନ୍ତୁ ସ୍ପାମ୍ ଓ ଠକେଇ କଲ୍ରୁ କିପରି ମୁକ୍ତି ମିଳିବ ସେ ସମ୍ପର୍କରେ ଜାଣିବା ।
ଅଜଣା ନମ୍ବରରୁ ଆସୁଥିବା କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ଏବଂ କଲ୍ ରିସିଭ୍ କରିବା ପୂର୍ବରୁ ଗ୍ରାହକଙ୍କୁ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା CNAP ସେବାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ । ଯାହା ଦ୍ୱାରା ସ୍ପାମ୍ କଲ୍ ଏବଂ ଠକେଇ କଲ୍ ଚିହ୍ନଟ କରିବାରେ ସହାୟତା ମିଳିପାରିବ । ତେବେ କେବଳ ନାମ ଦେଖାଯିବା ଦ୍ୱାରା ପ୍ରତ୍ୟେକ ନକଲି କଲ୍କୁ ଚିହ୍ନଟ କରିହେବ ବୋଲି ନିଶ୍ଚିତ କରାଯାଇପାରିବ ନାହିଁ । ତେଣୁ ଅଜଣା କଲ୍ରେ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ଡିଟେଲ୍ସ କିମ୍ବା OTP ଦେବା ସମୟରେ ସତର୍କ ରହିବା ନିହାତି ଜରୁରୀ ।
ନିର୍ଦ୍ଧାରିତ ନିୟମ ଅନୁଯାୟୀ, ଯେଉଁ ଗ୍ରାହକମାନେ କଲିଂ ଲାଇନ୍ ଆଇଡେଣ୍ଟିଫିକେସନ୍ ରିଷ୍ଟ୍ରିକ୍ସନ୍ (CLIR) ସେବା ନେଇଛନ୍ତି, ସେମାନଙ୍କ କଲ୍ ସମୟରେ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ଦେଖାଯିବ ନାହିଁ । ଅନ୍ୟପଟେ, ବ୍ୟବସାୟିକ କିମ୍ବା ବଲ୍କ କନେକ୍ସନ୍ ବ୍ୟବହାର କରୁଥିବା କମ୍ପାନୀ ଓ ସଂସ୍ଥାଗୁଡ଼ିକୁ ଯାଞ୍ଚ ପରେ ସେମାନଙ୍କ ପଞ୍ଜୀକୃତ ଟ୍ରେଡ୍ମାର୍କ କିମ୍ବା GST ପୋର୍ଟାଲ୍ରେ ଥିବା ବ୍ୟବସାୟିକ ନାମ ଦେଖାଇବାର ସୁବିଧା ମିଳିପାରେ । ଏହି ବ୍ୟବସ୍ଥା ଲାଗୁ କରିବାର ଦାୟିତ୍ୱ ଟେଲିକମ୍ କମ୍ପାନୀଗୁଡ଼ିକର ରହିବ । ଏଥିସହିତ, ଭୁଲ୍ ନାମ ଦେଖାଯିବା ସମ୍ପର୍କିତ ଅଭିଯୋଗ ଗ୍ରହଣ କରିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ତାହାର ସମାଧାନ କରିବା ପାଇଁ ମଧ୍ୟ କମ୍ପାନୀଗୁଡ଼ିକୁ ବ୍ୟବସ୍ଥା କରିବାକୁ ପଡ଼ିବ ।