ଛାତ୍ର ସଂସଦ ନିର୍ବାଚନ: ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ର ପ୍ରତିନିଧିମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଶପଥ ନେଉଛନ୍ତି

୮ ବର୍ଷ ପରେ ହେଲା ଛାତ୍ର ସଂସଦ ନିର୍ବାଚନ । ଶପଥ ନେଉଛନ୍ତି ନବନିର୍ବାଚିତ ଛାତ୍ର ପ୍ରତିନିଧି । ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ର ପ୍ରତିନିଧିମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଶପଥ ନେଉଛନ୍ତି । ରାଜ୍ୟର ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଚଳଚଞ୍ଚଳ ଉତ୍କଳ ବିଶ୍ୱବିଦ୍ୟାଳୟ। ଶପଥପାଠ ଉତ୍ସବରେ କୌଣସି ଅଣଛାତ୍ର ପ୍ରବେଶ କରିବେ ନାହିଁ ତାହା ଉପରେ ନଜର ରଖାଯାଇଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ବାଣୀବିହାର କ୍ୟାମ୍ପସକୁ ଜଗିଛି ୧୫୦ରୁ ଉର୍ଦ୍ଧ୍ବ ସିସିଟିଭି କ୍ୟାମେରା । ୨୦୧୮ ମସିହା ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା। ଚଳିତ ବର୍ଷ ନିର୍ବାଚନ ପୁନର୍ବାର ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିନିଧି ଚୟନ କରିବାର ସୁଯୋଗ ପାଇଛନ୍ତି ।

ଏବେ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ପରେ ନବନିର୍ବାଚିତ ପ୍ରତିନିଧିମାନଙ୍କ ସମ୍ମୁଖରେ ରହିଛି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ କ୍ୟାମ୍ପସରେ ଶୈକ୍ଷିକ ପରିବେଶ ବଜାୟ ରଖିବାର ଦାୟିତ୍ୱ । ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି ବିକାଶ, ପାଠାଗାର ଓ ହଷ୍ଟେଲ ସୁବିଧା, ପାନୀୟ ଜଳ, ପରିମଳ ବ୍ୟବସ୍ଥା, କ୍ୟାମ୍ପସ ସୁରକ୍ଷା ଏବଂ ଶିକ୍ଷା ସମ୍ପର୍କିତ ବିଭିନ୍ନ ସମସ୍ୟା ନୂଆ ଛାତ୍ର ନେତୃତ୍ୱ ପାଇଁ ପ୍ରମୁଖ ପ୍ରସଙ୍ଗ ହେବ। ଶପଥ ଗ୍ରହଣ ପରେ ନବନିର୍ବାଚିତ ସଭାପତି, ସମ୍ପାଦକ ଓ ଅନ୍ୟ ପଦାଧିକାରୀମାନେ ନିଜ ନିଜ ଦାୟିତ୍ୱ ଗ୍ରହଣ କରିବେ। ।

Leave a comment