ବାଲି ବୁଲିବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଅଭିନେତ୍ରୀ ନୁସରତ୍ ଭାରୁଚା
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନୁସରତ୍ ଭାରୁଚା ଦୁର୍ଘଟଣାର ଶିକାର ହୋଇଛନ୍ତି । ବାଲି ବୁଲିବାକୁ ଯାଇଥିବା ବେଳେ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଆହତ ନୁସରତଙ୍କୁ ସେଠିକାର ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ କେତେ ମାତ୍ରାରେ ଆହତ ହୋଇଛନ୍ତି ତାହା ଏଯାଏଁ ସ୍ପଷ୍ଟ କୌଣସି ସୂଚନା ମିଳିନାହିଁ ।
ବାଲିରେ ଦୁର୍ଘଟଣାର ଶିକାର ହୋଇଛନ୍ତି ନୁସରତ୍ । ନୁସରତଙ୍କ ଟିମ୍ ତରଫରୁ ସୂଚନା ମିଳିଛି କି, ଡାକ୍ତର ଯାଞ୍ଚ କରି ନୁସରତଙ୍କ ମେରୁଦଣ୍ଡ ହାଡ ସର୍ଜରୀ କରାଯିବ ବୋଲି କହିଛନ୍ତି । ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏୟାରଆମ୍ବୁଲାନ୍ସ ଯୋଗେ ମୁମ୍ବାଇ ଅଣାଯିବାକୁ ପ୍ରସ୍ତୁତି କରାଯାଉଛି । ମୁମ୍ବାଇ ପହଞ୍ଚିବା ପରେ ତାଙ୍କର ସର୍ଜରୀ ହେବ ବୋଲି ଜଣାପଡିଛି । ଏହି ଖବର ପ୍ରକାଶ ପାଇବା ପରେ ନୁସରତ୍ଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ନୁସରତ୍ କେଉଁ ପ୍ରୋଜେକ୍ଟ ପାଇଁ ବାଲି ଯାଇଥିଲେ, ସେନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ ।
ଆହତ ଏବଂ ସର୍ଜରୀ ପରେ ନୁସରତ ସଂପୂର୍ଣ୍ଣ ଭାବେ ସୁସ୍ଥ ହେବା ପାଇଁ ବିଶ୍ରାମ ନେବା ଜରୁରୀ । କିଛି ସପ୍ତାହ ପର୍ଯ୍ୟନ୍ତ କାମରୁ ଦୂରେଇ ରହବିକା ହେବ । ଦୁର୍ଘଟଣା ଯୋଗୁଁ ଆଗାମୀ ପ୍ରୋଜେକ୍ଟ ଓ କାମ ପ୍ରଭାବିତ ହୋଇପାରେ ।
କିଛି ଦିନ ପୂର୍ବରୁ ନୁସରତଙ୍କ ବାଲି ହଲିଡେର କିଛି ଫଟୋ ମଧ୍ୟ ନିକଟରେ ସୋସିଆଲ୍ ମିଡିଆରେ ଭାଇରଲ୍ ହୋଇଥିଲା । ସମୁଦ୍ର କୂଳରେ ସମୟ ବିତାଇବା ସହ ହୋଟେଲ୍ ଓ ଖାଦ୍ୟର ଝଲକ ସେୟାର କରିଥିଲେ ଅଭିନେତ୍ରୀ । ନୁସରତଙ୍କ ଶେଷ ଥର ପାଇଁ ସୋହମ୍ ଶାହଙ୍କ ସହ କମେଡି-ଥ୍ରୀଲର୍ ଫିଲ୍ମ ଉଫ୍ ୟେ ସିୟାପାରେ ଦେଖିବାକୁ ମିଳିଥିଲା ।