ଚାପରେ ସେୟାର ବଜାର, ସେନ୍‌ସେକ୍ସ ୧୦୦୦ ପଏଣ୍ଟ ତଳକୁ ଖସିଲା

ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ବିଦେଶୀ ନିବେଶକମାନେ ଲଗାତାର ଭାବେ ଇକ୍ବିଟି ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଗୁରୁବାର ଷ୍ଟକ୍‌ ବଜାର ଉପରେ ଚାପ ରହିଥିଲା। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ ମଧ୍ୟ ସ୍ଥିତିକୁ ‌‌ଆହୁରି ବିଗାଡ଼ିଥିଲା।

ନିବେଶକମାନେ ସେୟାର ବିକ୍ରି କରିବାରୁ ଏକ ସମୟରେ ସେନ୍‌ସେକ୍ସ ୧୦୦୦ ପଏଣ୍ଟ ତଳକୁ ଖସିଆସିଥିଲା। କିନ୍ତୁ ଦିନର ପରବର୍ତ୍ତୀ ସମୟରେ ସେଥିରେ ସୁଧାର ହୋଇଥିଲା। କାରବାର ଶେଷ ବେଳକୁ ସେନ୍‌ସେକ୍ସ ୫୭୦.୫୯ ପଏଣ୍ଟ ହ୍ରାସ ପାଇ ୭୧,୯୦୯.୭୦ ପଏଣ୍ଟରେ ବନ୍ଦ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୧୯୮.୫୦ ପଏଣ୍ଟ ହ୍ରାସ ପାଇ ୨୨,୪୨୧.୯୫ ପଏଣ୍ଟରେ ବନ୍ଦ ହୋଇଥିଲା।ନିବେଶକମାନେ ପ୍ରମୁଖ କମ୍ପାନିଗୁଡ଼ିକର ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ମୋଟ୍‌ ବଜାର ପୁଞ୍ଜି ପରିମାଣ ୬ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୬୬ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।

ଦୀର୍ଘ ୨୫ ବର୍ଷରେ ପ୍ରଥମ ଥର ପାଇଁ ଦୀର୍ଘଦିନ ପର୍ଯ୍ୟନ୍ତ ଏଭଳି ହ୍ରାସ ଘଟିଛି। ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଷ୍ଟକ୍‌ ବଜାର ବନ୍ଦ ରହିଛି। ତେଣୁ ଆସନ୍ତା ସୋମବାର ବଜାର ଖୋଲିବା ବେଳକୁ ସ୍ଥିତି ଯାହା ଥିବ ସେହି ଅନୁସାରେ କାରବାର ଆଗକୁ ବଢ଼ିବା ସମ୍ଭାବନା ରହିଛି।

ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାର। ପୂର୍ବରୁ ସେମାନେ ଇକ୍ବିଟି ବଜାରରୁ ନିବେଶ ପ୍ରତ୍ୟାହାର କରୁଥିଲେ। କିନ୍ତୁ ଦୁଇ ବର୍ଷ ବ୍ୟବଧାନ ପରେ ସେମାନେ ପ୍ରଥମ ଥର ପାଇଁ ଡେବ୍‌ଟ ବଜାରରୁ ପାଣ୍ଠି ନେଇଯାଇଛନ୍ତି। ସେମାନେ ବୁଧବାର ୧.୦୬ ବିଲିଅନ ଡଲାର ପ୍ରତ୍ୟାହାର କରିଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଦେଶୀ ନିବେଶକମାନେ ୨.୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି।

ଗତ ଜୁଲାଇ ଓ ଅଗଷ୍ଟରେ ସେମାନେ ଭାରତୀୟ ସେୟାର ବଜାରରେ ଯଥାକ୍ରମେ ୨୦,୨୦୦ କୋଟି ଟଙ୍କା ଓ ୨୯,୬୩୧ କୋଟି ଟଙ୍କା ନିବେଶ କରିଥିଲେ। କିନ୍ତୁ ସେପ୍ଟେମ୍ବରରେ ୪୬ ହଜାର କୋଟି ଟଙ୍କାର ସେୟାର ବିକ୍ରି କରିଥିଲେ। ଅନ୍ୟ ପକ୍ଷ‌‌‌ରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୫ ଟଙ୍କା ୯୮ ପଇସା ହୋଇଯାଇଛି। ଅଶୋଧିତ ତୈଳ ଦର ମଧ୍ୟ ବ୍ୟାରେଲକୁ ୧୦୦ ଡଲାର ପାଖାପାଖି ରହିଛି। ଅଟୋମୋବାଇଲ୍‌ କମ୍ପାନିଗୁଡ଼ିକର ସେୟାରକୁ ମଧ୍ୟ ନିବେଶକମାନେ ଆଜି ବହୁ ସଂଖ୍ୟାରେ ବିକ୍ରି କରିଥିଲେ।

 

Leave a comment