ଆଜି ଠୁ ବିଧାନସଭାର ମୌସୁମୀ ଅଧିବେଶନ : ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ

ସପ୍ତଦଶ ବିଧାନସଭାର ସପ୍ତମ (ମୌସୁମୀ) ଅଧିବେଶନ ମଙ୍ଗଳବାର (ସେପ୍ଟେମ୍ବର ୨୨)ଠାରୁ ହେଉଛି। ଆସନ୍ତା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଧାର୍ଯ୍ୟ କରାଯାଇଛି। ତା’ ଭିତରେ ୯ଟି କାର୍ଯ୍ୟଦିବସ ଥିବାବେଳେ ମୋଟ ୩ଟି ଛୁଟି ରହିଛି।

ଏହି ସ୍ବଳ୍ପ ଅବଧିର ଅଧିବେଶନ ବେଶ୍ ସରଗରମ ରହିବା ସମ୍ଭାବନା ରହିଛି। ଏମଏମଡିଆର ସଂଶୋଦନ ବିଲରୁ ନେଇ ପାଠ୍ୟ ପୁସ୍ତକ ତ୍ରୁଟି ସଂଶୋଧନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ରଣନୀତି କରିଛନ୍ତି । ଏମଏମଡିଆର ପ୍ରସଙ୍ଗରେ ମୋସନ ଆଲୋଚନା ପାଇଁ ବିଜେଡି ପକ୍ଷରୁ ନୋଟିସ ଦିଆଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ସରକାର ମଧ୍ୟ ସବୁ ପ୍ରସଙ୍ଗର ସାମ୍ନା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ କାର୍ଯ୍ୟକ୍ରମ ରଖିଛନ୍ତି।

ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସୋମବାର ବିଧାନସଭା ପରିସରରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ବିଧାନସଭାର ଏହି ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିଥିଲେ।

ଏହି ଅଧିବେଶନରେ ୬ଟି ବିଲ୍ ଆସିବା ନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମହାଲିଙ୍ଗ । ଗଣମାଧ୍ଯମକୁ ସେ କହିଛନ୍ତି, ବିରୋଧୀ ଦଳ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଯାହା ବି ପ୍ରସଙ୍ଗ ଆଣିବେ, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

Leave a comment