ଅଧାରହିଲା ମା’ ବଗଳାମୁଖୀ ଦର୍ଶନ , ଦୁର୍ଘଟଣାରେ 7 ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ , ସମସ୍ତ ମୃତ ଭୁବନେଶ୍ବର ସ୍ଥିତ ଜୟଦେବ ବିହାରର
ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଳାମୁଖୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ଜଳ ସ୍ରୋତରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଇଥିବା ଏକ କାର୍ ଭାସି ଯାଇଛି । ଏହି ଦୁର୍ଘଟଣାରେ ତିନି ଜଣ ଶିଶୁ, ଦୁଇ ଜଣ ମହିଳା ଏବଂ ତିନି ଜଣ ପୁରୁଷ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତ ମୃତକ ଜୟଦେବ ବିହାର ଅଂଚଳର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ସେମାନେ ଉଜ୍ଜୟିନୀରୁ କାର ଭଡ଼ାରେ ନେଇ ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ନାଲଖେଡାରେ ପହଞ୍ଚିଥିଲେ। ନାଲଖେଡା ଅଞ୍ଚଳରେ ରାତିସାରା ପ୍ରବଳ ବର୍ଷା ହୋଇଥିଲା । ରାତିସାରା ପ୍ରବଳ ବର୍ଷା ହୋଇଥିବାରୁ ମନ୍ଦିର ନିକଟରେ ଥିବା ନାଳରେ ହଠାତ୍ ପାଣି ବଢ଼ିବା ସହ ସ୍ରୋତ ଅତ୍ୟନ୍ତ ପ୍ରଖର ହୋଇଯାଇଥିଲା । ଏହି ସମୟରେ କାରଟି ନାଳ ପାର ହେବାକୁ ଉଦ୍ୟମ କରିଥିଲା । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ଗାଡ଼ିଟି ନିୟନ୍ତ୍ରଣ ହରାଇ ପାଣିରେ ଭାସିଯାଇଥିଲା । ପରେ ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ କୁ ଉଦ୍ଧାର କରିଥିଲେ । କାରରେ ଥିବା ସମସ୍ତ ୮ ଜଣଙ୍କ ଜୀବନ ଚାଲିଯାଇଥିଲା ।
ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ଓଡ଼ିଆ ପର୍ଯ୍ୟଟକଙ୍କ ପ୍ରାଣ ହରାଇବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କର ସଦ୍ଗତି କାମନା କରୁଛି । ଘଟଣା ସମ୍ପର୍କରେ ମଧ୍ୟପ୍ରଦେଶ ସରକାର ତଥା ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ସମନ୍ୱୟ ରକ୍ଷା କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଉଦ୍ଧାର ଓ ବ୍ୟବଚ୍ଛେଦ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପାର୍ଥିବ ଶରୀରକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ଲାଗି ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି । ସମସ୍ତ ପାର୍ଥିବ ଶରୀରକୁ ବିମାନରେ ଅଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।