କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଘରେ ପହଞ୍ଚି ଗଣେଣଙ୍କ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଘରେ ପହଞ୍ଚି ଗଣେଣଙ୍କ ପୂଜାର୍ଚ୍ଚନା କରିଛନ୍ତି । ଗଣେଶ ଚତୁର୍ଥୀ ଅବସରରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଘରେ ପୂଜାର୍ଚ୍ଚନା କରି ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି ନରେନ୍ଦ୍ର ମୋଦି । ପୀୟୁଷଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଗଣେଶଙ୍କୁ ପ୍ରାର୍ଥନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏ ଅବସରରେ ଗଣେଶ ଉତ୍ସବର କିଛି ଫଟୋ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ମୋଦି । ଶ୍ରୀଗଣେଶଙ୍କ କୃପାଦୃଷ୍ଟି ସବୁବେଳେ ଦେଶବାସୀଙ୍କ ଉପରେ ରହିଥାଉ ବୋଲି ପୋଷ୍ଟରେ କାମନା କରିଛନ୍ତି ।
୧୦ ଦିନିଆ ଗଣେଶ ଉତ୍ସବ ଅବସରରେ ଦେଶର ବିଭିନ୍ନ ପେଣ୍ଡାଲରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ । ଏ ଅବସରରେ ଶ୍ରଦ୍ଧାଳୁ ଓ ଦେଶବାସୀଙ୍କୁ ଗଣେଶ ପୂଜାର ହାର୍ଦ୍ଦିକ ଶୁଭକାମନା ମଧ୍ୟ ଜଣାଇଛନ୍ତି ମୋଦି । ପାର୍ବଣର ପ୍ରଥମ ଉତ୍ସବ ଗଣେଶ ପୂଜା ତଥା ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ଆନନ୍ଦ ଆଣିଦେବ ବୋଲି ଆଶା ପ୍ରକାଶ କରିଛନ୍ତି ।
ତେବେ ଗଣେଶ ପୂଜାକୁ ନେଇ ସମଗ୍ର ଦେଶରେ ଖୁସିର ମାହୋଲ । ମୁମ୍ବାଇରେ ପ୍ରସିଦ୍ଧ ଗଣେଶ ପୂଜା ଅନେକ ଧୁମଧାମରେ ପାଳନ କରାଯାଉଛି । ବିଶେଷ କରି ଛାତ୍ରଛାତ୍ରୀମାନେ ଜ୍ଞାନ, ବୁଦ୍ଧି ଓ ସଫଳତା ପାଇଁ ଶ୍ରୀଗଣେଶଙ୍କ ଆଶୀର୍ବାଦ ନେଇଥାନ୍ତି । ଶ୍ରୀଗଣେଶଙ୍କ ଆଶୀର୍ବାଦରେ ଜୀବନର ସମସ୍ତ ବାଧା ଦୂର ହେବା ସହ ଜ୍ଞାନ, ସମୃଦ୍ଧି ଓ ସଫଳତା ମିଳୁ, ଏହି କାମନାରେ ଭକ୍ତମାନେ ଗଣେଶ ପୂଜା ପାଳନ କରନ୍ତି ।