କାନାଡ଼ାରେ ଭାରତୀୟ ବଂଶୋଦ୍ଭବ ମାଲିକାଣୀଙ୍କ ଭାଡ଼ାଟିଆ ବାରବିକ୍ୟୁ ବ୍ୟବହାରକୁ ନେଇ ବିବାଦ,ଗିରଫ ହେଲେ ମାଲିକାଣି
କାନାଡ଼ାରେ ଜଣେ ଭାରତୀୟ ବଂଶୋଦ୍ଭବ ମାଲିକାଣୀ ଏବଂ ତାଙ୍କ ଭାଡ଼ାଟିଆଙ୍କ ମଧ୍ୟରେ ବାରବିକ୍ୟୁ (Barbecue) ବ୍ୟବହାରକୁ ନେଇ ଉପୁଜିଥିବା ବିବାଦ ଉଗ୍ରରୂପ ନେଇଛି। ଘର ମାଲିକାଣୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଡ଼ାଟିଆ ଜଣକ ଘର ବାହାରେ ସାଙ୍ଗମାନଙ୍କ ସହ ବାରବିକ୍ୟୁ (ଗ୍ରିଲ୍ କରି ଖାଦ୍ୟ ପ୍ରସ୍ତୁତ) କରୁଥିବା ବେଳେ ମାଲିକାଣୀ ତାଙ୍କୁ ବିରୋଧ କରିଥିଲେ।
ମାଲିକାଣୀଙ୍କ ଦାବି ଥିଲା ଯେ ବାରବିକ୍ୟୁ ଯୋଗୁଁ ତାଙ୍କ ଘରର କାନ୍ଥ ପୋଡ଼ି ଦାଗ ହୋଇଯାଉଛି, କିନ୍ତୁ ଭାଡ଼ାଟିଆ ତାଙ୍କ କଥାକୁ ମାନିନଥିଲେ। ମାଲିକାଣୀ କାଠ ଖଣ୍ଡ ସାହାଯ୍ୟରେ ବାରବିକ୍ୟୁ ଗ୍ରିଲ୍ରୁ ଖାଦ୍ୟ ହଟାଇବାକୁ ଚେଷ୍ଟା କରିଥିଲେ, ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ଭାଡ଼ାଟିଆଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ମାଲିକାଣୀ ବିନା ଅନୁମତିରେ ତାଙ୍କ ଭାଡ଼ା ଘର ଭିତରକୁ ପଶି ଆସିଥିଲେ। ଗୋଟିଏ ଭିଡିଓରେ ମାଲିକାଣୀ ଘର ଭିତରକୁ ଆସି ଭାଡ଼ାଟିଆଙ୍କ ଉପରକୁ ପଥର ଫିଙ୍ଗିବା ଏବଂ ଭିଡିଓ ରେକର୍ଡିଂ ବନ୍ଦ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି।
ଭାଡ଼ାଟିଆଙ୍କ ଅଭିଯୋଗ ଅନୁଯାୟୀ, ମାଲିକାଣୀ ତାଙ୍କ ଭଡ଼ା ଘରର ତାଲା ବଦଳାଇ ଦେଇଥିଲେ ଏବଂ ଅନ୍ୟ କିଛି ଅଜଣା ପୁରୁଷଙ୍କୁ ଘର ଭିତରକୁ ପଠାଇଥିଲେ। ଭାଡ଼ାଟିଆଙ୍କ ଅଭିଯୋଗ ଏବଂ ଭିଡିଓ ପ୍ରମାଣ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭାରତୀୟ ବଂଶୋଦ୍ଭବ ମାଲିକାଣୀଙ୍କୁ ହାତକଡ଼ି ଲଗାଇ ଗିରଫ କରିଛି।
ଗିରଫ ସମୟରେ ଘର ମାଲିକାଣୀ ତାଙ୍କ ଝିଅ ଏବଂ ଓକିଲଙ୍କୁ ଫୋନ୍ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ସଙ୍ଗେ ସଙ୍ଗେ ଗାଡ଼ିରେ ବସାଇ ନେଇଯାଇଥିଲା। କାନାଡ଼ାରେ ଭାଡ଼ାଟିଆଙ୍କ ବ୍ୟକ୍ତିଗତ ଅଧିକାର ଉଲ୍ଲଂଘନ, ବେଆଇନ ପ୍ରବେଶ ଏବଂ ଶାରୀରିକ ଆକ୍ରମଣ ଉଦ୍ୟମ ଅଭିଯୋଗରେ ସୋସିଆଲ ମିଡିଆ ଭିଡିଓ ଆଧାରରେ ଭାରତୀୟ ବଂଶୋଦ୍ଭବ ମାଲିକାଣୀଙ୍କୁ ପୁଲିସ ଗିରଫ କରିଛି।