ୟୁଏଇରେ ତିନି ଦିନିଆ ନିବେଶ ଅଭିଯାନ ଶେଷ । ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ ବୈଠକ ଓ ରାଉଣ୍ଡ ଟେବଲ୍ ଆଲୋଚନା ହୋଇଛି । ୧୬ ଟି ବୁଝାମଣାପତ୍ର ଓ ପୁଞ୍ଜିନିବେଶ ପ୍ରସ୍ତାବ (IIFs) ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ୟୁଏଇ ନିବେଶକ, ବିଶ୍ୱସ୍ତରୀୟ ବ୍ୟବସାୟୀ, ସାର୍ବଭୌମ ତଥା ପ୍ରତିଷ୍ଠାନିକ ଅଂଶୀଦାର, ଭାରତୀୟ କୂଟନୈତିକ ପ୍ରତିନିଧି ଓ ଓଡ଼ିଆ ପ୍ରବାସୀ ଏକାଠି ହୋଇଥିଲେ। ନିବେଶ ପାଇଁ ଯାହା ଆବଶ୍ୟକ, ସବୁ କିଛି ଓଡ଼ିଶାରେ ଅଛି । ସବୁ ସୁବିଧା ଓ ପ୍ରଚୁର ସୁଯୋଗ ରହିଛି ।
ଦୁବାଇରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ର ଶେଷ ଦିନରେ ନିବେଶକଙ୍କୁ ଏଭଳି ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାରେ ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ ଖଣି ଅଛି। ଇନଭେଷ୍ଟର୍ସ ଫ୍ରେଣ୍ଡଲି ରାଜ୍ୟ ମଧ୍ୟରେ ଟପ୍ ୫ରେ ଅଛି ଓଡ଼ିଶା । ତେଣୁ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ କରିଛନ୍ତି ମୋହନ। ବ୍ୟୁରୋ ଅଫ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ଆସୋସିଏସନ୍ ଓ JSW ଗ୍ରୁପ ସହ ଶିଳ୍ପ ପ୍ରତିନିଧିମାନଙ୍କୁ ନେଇ ରାଉଣ୍ଡଟେବୁଲ୍ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଆଲୋଚନାରେ ମେଟାଲ୍ ରିସାଇକେଲିଂ, ସର୍କୁଲାର ଇକୋନୋମି, ରିସୋର୍ସ ଏଫିସିଏନ୍ସି ଓ ଭାଲ୍ୟୁ-ଆଡେଡ୍ ମାନୁଫାକ୍ଚରିଂ ଉପରେ ଗୁରୁତ୍ୱ ଦିଆଯାଇଥିଲା ।