୧୧ ରେ ଲଘୁଚାପ,ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା
ପୁଣି ଆସୁଛି ଲଘୁଚାପ, ବଢିବ ବର୍ଷାର ପରିମାଣ । ବଙ୍ଗୋପସାଗରରେ ପୁଣି ପାଣିପାଗରେ ପରିବର୍ତ୍ତନର ସଙ୍କେତ ମିଳିଛି। ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ୧୧ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସହ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏହା ଦାନା ବାନ୍ଧିପାରେ । ଏହା ଫଳରେ ବଙ୍ଗୋପସାଗର ଉପରେ ବାଦଲ ସଂଗଠିତ ହେବା ସହ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବର୍ଷାର ପରିମାଣ ବଢ଼ିପାରେ । ତେବେ ଲଘୁଚାପ ସୃଷ୍ଟି ପରେ ଏହା କେଉଁ ଦିଗକୁ ଗତି କରିବ ଏବଂ କେତେ ଶକ୍ତିଶାଳୀ ହେବ, ତାହା ପରବର୍ତ୍ତୀ ପାଣିପାଗ ସ୍ଥିତିରୁ ଅଧିକ ସ୍ପଷ୍ଟ ହେବ । ଏବେ ନଜର ରହିଛି ଆଣ୍ଡାମାନ ସାଗରରୁ ବଙ୍ଗୋପସାଗର ଆଡ଼କୁ ହେଉଥିବା ପାଣିପାଗ ପରିବର୍ତ୍ତନ ଉପରେ । ଆଗାମୀ କିଛି ଦିନରେ ସମ୍ଭାବ୍ୟ ଲଘୁଚାପର ରୂପରେଖା ଆହୁରି ସ୍ପଷ୍ଟ ହେବ ।
ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାବେଳେ, କେତେକ ସ୍ଥାନରେ ୨୪ ଘଣ୍ଟାରେ ୧୦୦ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । କେବଳ ଏତିକି ନୁହେଁ, ସେପ୍ଟେମ୍ବର ୧୭ରୁ ୨୦ ମଧ୍ୟରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ନେଇ ବି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି ।
ଲଘୁଚାପ ପ୍ରଭାବରେ ୧୨ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ। ବୁଧବାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। ୧୦ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଅଛି।