ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ,ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ଏକ ଅସାଧାରଣ ସଫଳତା- ପ୍ରଧାନମନ୍ତ୍ରୀ ମୋଦୀ
ଭାରତୀୟ ଅର୍ଥନୀତି ଉତ୍ସାହଜନକ ପ୍ରଦର୍ଶନ ସହ ଚଳିତ ଆର୍ଥିକ ବର୍ଷକୁ ଆରମ୍ଭ କରିଛି। ୨୦୨୬-୨୭ର ପ୍ରଥମ ତ୍ରୟମାସରେ ମୋଟ୍ ଘରୋଇ ଉତ୍ପାଦ (ଜିଡିପି)ର ବାସ୍ତବ ଅଭିବୃଦ୍ଧି ୭.୮ ପ୍ରତିଶତ ହୋଇଛି ଯାହା ପୂର୍ବବର୍ଷର ସେହି ତ୍ରୟମାସରେ ହୋଇଥିବା ୬.୯ ପ୍ରତିଶତ ଅଭିବୃଦ୍ଧିଠାରୁ ଯଥେଷ୍ଟ ଅଧିକ। ନାମମାତ୍ର ଜିଡିପି ଅଭିବୃଦ୍ଧି ୧୦.୩ ପ୍ରତିଶତ ରହିଛି। ମଧ୍ୟପ୍ରାଚ୍ୟ ସଙ୍କଟ, ଉଚ୍ଚା ଶକ୍ତି ଦର ଓ ବିଶ୍ବ ବାଣିଜ୍ୟରେ ଅନିଶ୍ଚିତତା ସତ୍ତ୍ବେ ଭାରତ ଏଭଳି ସଫଳତା ହାସଲ କରିଛି। ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ପୂର୍ବବର୍ଷର ପ୍ରଥମ ତ୍ରୈମାସିକ ପ୍ରଦର୍ଶନଠାରୁ ଉନ୍ନତ ରହିଛି, କିନ୍ତୁ ଗତ ତ୍ରେୟମାସ (୨୦୨୬ ଅକ୍ଟୋବର-ଡିସେମ୍ବର)ର ୮.୬ ପ୍ରତିଶତ ଅଭିବୃଦ୍ଧିଠାରୁ କମ୍ ରହିଛି। ପ୍ରଧାନମନ୍ତ୍ରୀ ଏହାକୁ ଏକ ଅସାଧାରଣ ସଫଳତା ଭାବେ ବର୍ଣ୍ଣନା କରିଛନ୍ତି।ସୋସିଆଲ୍ ମିିଡିଆ ‘ଏକ୍ସ’ରେ ସେ ଲେଖିଛନ୍ତି ପ୍ରଥମ ତ୍ରୈମାସିକ ଅଭିବୃଦ୍ଧି ଏକ ଅସାଧାରଣ ସଫଳତା। ବିଶ୍ବବ୍ୟାପୀ ଅନିଶ୍ଚିତତା ମଧ୍ୟରେ ତୈଳ ଦରର ଶକ୍ତ ଧକ୍କା ଓ ଯୋଗାଣ ଶୃଙ୍ଖଳାରେ ସମସ୍ୟା ସତ୍ତ୍ବେ ଆମ ଦେଶବାସୀଙ୍କ ମିଳିତ ଶକ୍ତି ଭାରତ ପାଇଁ ଏଭଳି ଅଭିବୃଦ୍ଧି ସୁନିଶ୍ଚିତ କରିପାରିଛନ୍ତି। ନିରାଶାବାଦୀମାନଙ୍କ ପରାଜୟ ହୋଇଛି ଓ ଭାରତ ପୁଣି ଥରେ ସଫଳତା ସହ ବିକଶିତ ହୋଇପାରିଛି।ପ୍ରଥମ ତ୍ରୈମାସିକରେ ଜିଡିପି ପରିମାଣ ୮୧.୮୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି ତିନି ମାସରେ ବିନିର୍ମାଣ କ୍ଷେତ୍ର ୯.୨ ପ୍ରତିଶତ, ବିଦ୍ୟୁତ୍ ଓ ୟୁଟିଲିଟି ସେବା ୮.୯ ପ୍ରତିଶତ ଓ ନିର୍ମାଣ କ୍ଷେତ୍ର ୭.୭ ପ୍ରତିଶତ ଭଳି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୬ ପ୍ରତିଶତକୁ ଖସିଆସିଛି ଯାହା ପୂର୍ବବର୍ଷ ୪.୪ ପ୍ରତିଶତ ଥିଲା। ଖଣି କ୍ଷେତ୍ରର ଅଭିବୃଦ୍ଧି ବିଯୁକ୍ତ ୨.୪ ପ୍ରତିଶତ ହୋଇଛି। ପୂର୍ବବର୍ଷର ପ୍ରଥମ ତ୍ରୈମାସିକରେ ଏହି କ୍ଷେତ୍ର ୧୨.୪ ପ୍ରତିଶତ ଭଳି ଉଚ୍ଚ ପ୍ରଦର୍ଶନ ହାସଲ କରିଥିଲା।ଏନ୍ଡିଏ ସରକାର ଗ୍ରହଣ କରିଥିବା ସଂସ୍କାର ଓ ଅର୍ଥନୀତିର ସୁପରିଚାଳନା ପାଇଁ ଏଭଳି ଚମତ୍କାର ଫଳ ମିଳିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ୨୦୨୬-୨୭ର ପ୍ରଥମ ତ୍ରୈମାସିକରେ ମୋଟ୍ ସ୍ଥାୟୀ ପୁଞ୍ଜି ସୃଷ୍ଟି (ଜିଏଫ୍ସିଏଫ୍)ରେ ୧୧.୯ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଘରୋଇ ଚୂଡ଼ାନ୍ତ ଉପଯୋଗିତା ବ୍ୟୟ (ପିଏଫ୍ସିଇ) ଅଭିବୃଦ୍ଧି ୭.୧ ପ୍ରତିଶତ ରହିଛି। ତେବେ ଜିଡିପି ଉପରେ ଦେଇଥିବା ମନ୍ତବ୍ୟ ପାଇଁ କଂଗ୍ରେସ ନେତା ପୱନ ଖେରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ଯଦି ଭାରତ ସତରେ ଏତେ ଆଗକୁ ବଢ଼ୁଛି, ତେବେ ବ୍ୟାପକ ବେକାରୀ, ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଓ ଶିକ୍ଷା ବ୍ୟବସ୍ଥାର ଅବନତି କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।